ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କୁ ଭେଟିଲେ ଶକ୍ତି ସଚିବ
ଛତ୍ରପୁର: ଗୁରୁବାର ପୂର୍ବାହ୍ନରେ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନ କରି ସେଠାରେ ମୋ ସରକାର କାର୍ଯ୍ୟକ୍ରମ କିପରୀ ଚାଲିଛି ଏହାର ତଦାରଖ କରିଥିଲେ । ଏହାସହ ନିରାମୟ କେନ୍ଦ୍ର, ଆଉଟ ଡୋର ଓ ଇନ୍ଡୋର ବୁଲି ଦେଖିଥିଲେ । କେତକ ରୋଗୀଙ୍କୁ ଭେଟି କିପରୀ ଚିକିତ୍ସାଳୟରେ ସୁବିଧା ଯୋଗାଇଦିଆଯାଉଛି ତାହା ପଚାରି ବୁଝିଥିଲେ । ଚିକିତ୍ସାଳୟରେ କଣ କଣ ସୁବିଧା ରହିଛି ଏବଂ କଣ ଆବଶ୍ୟକତା ରହିଛି ତାହାର ଅନୁଧ୍ୟାନ କରିଥିଲେ । ଚିକିତ୍ସାଳୟ ପକ୍ଷରୁ ରୋଗୀ ମାନଙ୍କୁ ଦିଆଯାଉଥିବା ସୁବିଧା ସଠିକ୍ ଭାବେ ମିଳୁଛି କି ନାହିଁ ତାହା ମଧ୍ୟ ଉପସ୍ଥିତ ଥିବା ରୋଗୀ ଏବଂ ସେମାନଙ୍କ ସଂପର୍କୀୟ ମାନଙ୍କୁ ପଚାରି ବୁଝିଥିଲେ ସଚିବ । ଚିକିତ୍ସାଳୟରେ ରାତିରେ ଜଣେ ମାତ୍ର ଡାକ୍ତର ରହୁଛନ୍ତି ଏବଂ କୈାଣସି ଡାକ୍ତର ହେଡକ୍ୱାର୍ଟରରେ ରହୁନଥିବା ଛତ୍ରପୁର ଜନସାଧାରଣଙ୍କ ପକ୍ଷରୁ ୟୁଥ୍ ମାସ ସେବା ସଂଘର ସଂପାଦକ ସୟଦ ମୁକ୍ତାର ସଚିବ ଶ୍ରୀ ସେଠୀଙ୍କୁ ଭେଟି କହିଥିଲେ । ଏହାସହ ଚିକିତ୍ସାଳୟ ପରିସରରେ ଥିବା ପ୍ରାଇଭେଟ୍ ଔଷଧ ଦୋକାନର ଲାଇସେନ୍ସ ନଥାଇ ଏଠାରେ ଖୋଲାଯାଉଛି । ଏହାକୁ ଏଠାରୁ ତୁରନ୍ତ ବନ୍ଦ କରାଯାଉ । ମହାପ୍ରଣାୟନ ଗାଡିର ବ୍ୟବସ୍ଥା କରାଯାଉ ଏବଂ ଏହି ଚିକିତ୍ସାଳୟ ଉପରେ ହଜାର ହଜାର ଜନସାଧାରଣ ନିର୍ଭର କରୁଥିବାରୁ ଆବଶ୍ୟକୀୟ ଅନୁଯାୟୀ ଚିକିତ୍ସାଳୟର ସମସ୍ତ ଡାକ୍ତର ପଦବୀ ପୂରଣ କରାଯାଉବୋଲି ସୟଦମୁକ୍ତାର ଏବଂ କେତକ ରୋଗୀ ସଚିବଙ୍କୁ ଅନୁରୋଧ କରିଥିଲେ । ଚିକିତ୍ସାଳୟ ପରିସରରେ ଜଣେ ପ୍ରାଇଭେଟ୍ ଲୋକର ଜେନରେଟର ରହୁଛି ଏହାକୁ ଏଠାରୁ ବାହାର କରାଯାଉ ବୋଲି ଅଭିଯୋଗ ମଧ୍ୟ ହୋଇଥିଲା । ଏହି ପରିଦର୍ଶନରେ ସଚିବ ଶ୍ରୀ ସେଠୀଙ୍କ ସମେତ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଅଧିକାରୀ କାହ୍ନୁ ଚରଣ ପାତ୍ର, ବରିଷ୍ଠ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା, ଚିକିତ୍ସାଳୟ ମ୍ୟାନଜର ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।