କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସାରା ଭାରତ ବର୍ଷରେ ଲୈାହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ତମ ଜନ୍ମ ଜୟନ୍ତୀ ଉତ୍ସବକୁ “ରାଷ୍ଟ୍ରୀୟ ଏକତା ଦିବସ” ରୂପେ ପାଳନ କରାଯାଉଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଆୟୋଜିତ ଜିଲ୍ଲା ସ୍ତରୀୟ ଶପଥପାଠ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାଧୀନ ଭାରତର ଏକତା ଓ ଅଖଣ୍ଡତା ନିମନ୍ତେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତ୍ୟାଗ ଓ କାର୍ଯ୍ୟଶୈଳୀର ସ୍ମୃତିଚାରଣ କରିବା ସହ ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ମହାରଣା ଜିଲ୍ଲା କାର୍ଯ୍ୟାଳୟର ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ । ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ନିମନ୍ତେ ନିଜକୁ ସମର୍ପିତ କରିବା ସହ ଏକତା ଅକ୍ଷୁର୍ଣ୍ଣ ରଖିବା ଭାବନାର ବାର୍ତ୍ତା ପ୍ରିୟ ଦେଶବାସୀଙ୍କ ମଧ୍ୟରେ ପ୍ରସାରିତ କରିବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଦିବସ ପାଳନର ଆଭିମୁଖ୍ୟ ଓ ସ୍ୱାଗତ ଅଭିଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ପ୍ରଦିପ କୁମାର ଦାଶ ଓ କର୍ମଚାରୀ ବିରବର ମାଝୀ ଶପଥପାଠ ଉତ୍ସବ ଆୟୋଜନରେ ସହାୟତା କରିଥିଲେ ।


