ବଜାରରେ କାଁଭାଁ ମିଳୁଛି କାଉଁରିଆ କାଠି
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଦୀପାବଳୀକୁ ଆଉ ଦୁଇତିନିଦିନ ବାକି ଥିବାବେଳେ କରୋନା କଟକଣା ଯୋଗୁ ବାଣ ଓ ଆତସବାଜି ଉପରେ ସରକାର ରୋକ ଲଗାଇଛନ୍ତି । କେବଳ ପାରମ୍ପରିକ ଭାବେ ଦୀପ ଜଳାଇ ଲୋକମାନେ ଦୀପାବଳୀ ପାଳନ କରିବେ ବୋଲି ଜଣାପଡିଛି । ଏହାରି ଭିତରେ ଦୀପାବଳୀର ପ୍ରଥା ଅନୁଯାୟୀ ସାତପୁରୁଷକୁ ପିଣ୍ଡ ଦେବାର ବ୍ୟବସ୍ଥା ରହିଥିବାରୁ ଘରେଘରେ କାଉଁରିଆ କାଠି ଜାଳିବା କଥା ପ୍ରଚଳିତ ରହିଛି । କିନ୍ତୁ ଦୁଃଖର କଥା କାଉଁରିଆ କାଠି ମିଳୁଥିବା ଲଳିତା ଚାଷ ଏବେ ପ୍ରାୟତଃ ବନ୍ଦ ହୋଇଯାଇଥିବାରୁ ଏହାର ଅଭାବୀବିକ୍ରି ଏବେ ପରିଲକ୍ଷିତ ହେଉଛି । ଏହିପରିପ୍ରେକ୍ଷିରେ ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ, କୁଲଣା, ମାଳଦା, ସରସଦା, ବାରିକପୁର, ଆଖୁଆପଦା ପ୍ରମୁଖ ଗ୍ରାମ୍ୟ ବଜାରରେ କାଁଭାଁ କାଉଁରିଆ କାଠି ବିକ୍ରି ହେଉଥିଲେ ସୁଦ୍ଧା ଦରକିନ୍ତୁ ଆକାଶ ଛୁଆଁ ରହିଛି । ସ୍ଥାନୀୟ ଅଞ୍ଚଳରେ ଚାଷୀମାନେ ଲଳିତା ଚାଷରୁ ଦୀର୍ଘବର୍ଷ ହେବ ମୁହଁ ଫେରାଇ ଦେଇଥିବାରୁ କାଉଁରିଆ କାଠିର ଅଭାବ ଦେଖାଯାଉଥିବା କୁହାଯାଉଛି । ପ୍ରମୁଖ ଗାଁ ବଜାର ଗୁଡିକୁ ନିକଟ କେନ୍ଦୁଝର, ହାଟଡିହୀ, ଛେନାପଦି , ପାଣିକୋଇଲି, ସାହାପୁର ପ୍ରମୁଖ ସ୍ଥାନରୁ ବିଭିନ୍ନ ଯାନବାହନରେ କାଉଁରିଆ କାଠି ଆସୁଥିବା ଜଣାଯାଇଛି । ଫଳରେ ଆମଦାନୀ ଦ୍ରବ୍ୟ ଉପରେ ମୂଲ୍ୟବୃଦ୍ଧି ଘଟୁଥିବା ଖୁଚୁରା ବ୍ୟବସାୟୀ ମାନେ କହିଛନ୍ତି । ସେ ଯାହାବି ହେଉ ଦୀପାବଳୀରେ ପିତୃପୁରୁଷଙ୍କ ପିଣ୍ଡ ପାଇଁ କାଉଁରିଆ କାଠି ଜାଳିବା ପ୍ରଥା ରହିଥିବାରୁ ଏହା ସମସ୍ତଙ୍କ ପାଇଁ ଆବଶ୍ୟକୀୟ ରହିଥାଏ । ଫଳରେ ଅଭାବ ବିକ୍ରି ମଧ୍ୟରେ ମୂଲ୍ୟବୃଦ୍ଧି ଘଟୁଥିଲେ ସୁଦ୍ଧା ଲୋକେ କାଉଁରିଆ କାଠି କିଣୁଥିବା ଦେଖାଯାଇଛି ।


