ବିତର୍କ ଦ୍ୱାରା ସାମାଜିକ ପରିବର୍ତ୍ତନ ଓ ବୈାଦ୍ଧିକ ବିକାଶ ଅଭିବୃଦ୍ଧି ହୁଏ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ଗୋପସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ସମ୍ମିଳନୀ କକ୍ଷରେ ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବିତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ସ୍ତରୀୟ କନିଷ୍ଠ ବର୍ଗଙ୍କ ପାଇଁ “ଅନ୍ ଲାଇନ ଶିକ୍ଷାର ପ୍ରଭାବ ଓ ଦୁଷ୍ପ୍ରଭାବ” ଏବଂ ମହାବିଦ୍ୟାଳୟ ସ୍ତରୀୟ ବରିଷ୍ଠ ବର୍ଗଙ୍କ ନିମନ୍ତେ “ଡ୍ରଗ୍ସ କବଳରେ ଯୁବ ପିଢୀ” ବିତର୍କର ଶୀର୍ଷକ ରଖାଯାଇଥିଲା । କନିଷ୍ଠ ବର୍ଗରେ ଗରଦପୁର ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଇତିଶ୍ରୀ ପ୍ରଧାନ ପ୍ରଥମ, କେନ୍ଦ୍ରାପଡା ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ରୀ ନାଜିଆ ଖାତୁନ ଦ୍ୱିତୀୟ, ମାର୍ଶାଘାଇ ସରକାରୀ ହାଇସ୍କୁଲର ଛାତ୍ରୀ ଜ୍ୟୋତିଶ୍ରୀ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ମାର୍ଶାଘାଇ କଲେଜ ଛାତ୍ରୀ ସ୍ୱାତୀ ସ୍ମରଣିକା ପ୍ରଧାନ ପ୍ରଥମ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସନ୍ତୋଷ ଖଟୁଆ ଦ୍ୱିତୀୟ ଓ ତୁଳସୀ ମହିଳା କଲେଜ ଛାତ୍ରୀ ସରୋଜିନୀ ସେନାପତି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏଥିରେ ବିଚାରକ ମଣ୍ଡଳୀ ସଦସ୍ୟ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ୱାରିକା ନାଥ ସେନାପତି, ପ୍ରାଧ୍ୟାପକ କମଳାକାନ୍ତ ଦାଶ, ପ୍ରାଧ୍ୟାପିକା ପ୍ରତିଜ୍ଞା ସାମଲ, ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ, ଅଧ୍ୟାପକ ସୁଶାନ୍ତ କୁମାର ପରିଡା ଏବଂ ସେଣ୍ଟ ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ଏଭଳି ପ୍ରତିଯୋଗୀତାର ଆୟୋଜନ ଦ୍ୱାରା ପିଲାମାନଙ୍କ ବୈାଦ୍ଧିକ ଶକ୍ତିର ବିକାଶ ସହ ସାମାଜିକ ପରିବର୍ତ୍ତନ ସମ୍ଭବ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଦୈନିକ ଖବର କାଗଜ ‘ସକାଳ’ର ସ୍ୱନକ୍ଷତ୍ର ଦିବସ ଅବସରରେ ଆୟୋଜିତ ଏହି ପ୍ରତିଯୋଗୀତାରେ ସକାଳର ଜିଲ୍ଲା ପ୍ରତିନିଧି ଦେବଦତ୍ତ ଦାଶ କାର୍ଯ୍ୟକ୍ରମର ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ