ବିଦ୍ୟାଳୟକୁ ନେଇ ଭେଦଭାବ ଛାତ୍ରଛାତ୍ରୀଙ୍କ ପାଇଁ ଶୁଭଙ୍କର ନୁହେଁ

ସୁବାସ କୁମାର ତାରଣିଆଁ
ରାଜ୍ୟରେ ଦେଖା ଦେଇଥିବା ମହାମାରୀ କରୋନାର ବିଭୀଷିକା ଯୋଗୁ ପ୍ରାୟ ୧୮ ମାସ ଧରି ସ୍କୁଲ୍ କଲେଜ ବନ୍ଦ ରହିବା ଫଳରେ ଶିକ୍ଷାଦାନକୁ ନେଇ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବିଶେଷକରି ମେଟ୍ରିକ ପରୀକ୍ଷାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାକମାନେ ଚିନ୍ତଗ୍ରସ୍ତ ଥିଲେ । ତେଣୁ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ଅଭିନବ ଉପାୟରେ ରେଡିଓ ପାଠଶାଳା, ହ୍ୱାଟସ୍‌ଆପ ମାଧ୍ୟମରେ ଶିକ୍ଷା, ୟୁଟୁବ୍ ଲାଇଭ କ୍ଲାସ ମାଧ୍ୟମରେ ଆଭାସୀ ଶିକ୍ଷାଦାନ ବ୍ୟବସ୍ଥା କରିଥିଲେ । ଏହା ଦ୍ୱାରା ପ୍ରତ୍ୟେକ ଛାତ୍ରଛାତ୍ରୀମାନେ କରୋନାରୁ ଦୂରେଇ ରହିବା ସହିତ ଘରେ ରହି ପାଠ ପଢିବା ପାଇଁ ସୁଯୋଗ ପାଇଥିଲେ । ହେଲେ କରୋନାର ଦ୍ୱିତୀୟ ଲହର ରାଜ୍ୟରେ ଘାତକ ସାବ୍ୟସ୍ତ ହେବାରୁ ଚଳିତବର୍ଷ ମେଟ୍ରିକ ପରୀକ୍ଷା ହେବ କି ନହେବ, ସେଥିନେଇ ଛାତ୍ରଛାତ୍ରୀ ଓ ଅଭିଭାବଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ମାଟ୍ରିକ ପରୀକ୍ଷା ବାତିଲ୍ କରିବାକୁ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ । ପାଠପଢାକୁ ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଅଭିଭାବକମାନଙ୍କ ଅଭିଯୋଗ ସର୍ବୋପରି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଶେଷରେ ରାଜ୍ୟ ସରକାର ଚଳିତବର୍ଷ ମେଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ ଏବଂ ବିକଳ୍ପ ମୂଲ୍ୟାୟନ ପଦ୍ଧତି (ନବମ ଓ ଦଶମ ପରୀକ୍ଷା ଫଳାଫଳ)ରେ ମେଟ୍ରିକ ପରୀକ୍ଷା ଫଳ ପ୍ରକାଶନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ଏତେ ଏସବୁ ବାଦ ବିବାଦ ସତ୍ତ୍ୱେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ପକ୍ଷରୁ ଚଳିତବର୍ଷର ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ନିୟମିତ (ରେଗୁଲାର) ଛାତ୍ରଛାତ୍ରୀଙ୍କ ସର୍ବୋଚ୍ଚ ପାସ୍ ହାର ୯୭.୮୯ ପ୍ରତିଶତ ରହିଥିଲା ଯାହାକି ମାଧ୍ୟମିକ ଶିକ୍ଷା ପରିଷଦ ଇତିହାସରେ ପ୍ରଥମ ଘଟଣା । ଚଳିତବର୍ଷ ରାଜ୍ୟରୁ ମାଟ୍ରିକ ଫର୍ମ ପୂରଣ କରିଥିବା ୮୯୩୪ ବିଦ୍ୟାଳୟର ସର୍ବମୋଟ ୫,୭୪,୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫,୬୨,୦୧୦ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ସେଥି ମଧ୍ୟରୁ ୨ଲକ୍ଷ ୮୦ ହଜାର ୩୫୨ଜଣ ଛାତ୍ର ଓ ୨ଲକ୍ଷ ୮୧ ହଜାର ୬୫୮ଜଣ ଛାତ୍ରୀ । ୭୭୦୩ ଜଣ ଅକୃତକାର୍ଯ୍ୟ ହୋଇଥିବା ବେଳେ ୪୪୧୨ ଜଣ ଛାତ୍ରଛାତ୍ରୀଙ୍କ ନମ୍ବର ବିଦ୍ୟାଳୟ ପକ୍ଷରୁ ବୋର୍ଡ଼କୁ ଦିଆଯାଇ ନାହିଁ । ୫୯୪୫ ବିଦ୍ୟାଳୟର ଫଳାଫଳ ଶତପ୍ରତିଶତ ହୋଇଥିବା ବେଳେ ପ୍ରଥମ କରି ଚଳିତ ବର୍ଷ ଶୂନ ତାଲିକାରେ କୌଣସି ବିଦ୍ୟାଳୟର ନାମ ନାହିଁ । ଏ୧ ଗ୍ରେଡ଼ରେ ୨୬୫୬, ଏ୨ ଗ୍ରେଡ଼ରେ ୨୨୧୩୧, ବି୧ ଗ୍ରେଡ଼ରେ ୫୨୨୯୯, ବି୨ ଗ୍ରେଡ଼ରେ ୯୪୪୭୫, ସି ଗ୍ରେଡ଼ରେ ୧୩୭୦୧୪, ଡ଼ି ଗ୍ରେଡ଼ରେ ୧୫୧୬୩୯, ଇ ଗ୍ରେଡ଼ରେ ୧୦୧୭୯୬ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ପାସ୍ ହାରରେ ଜଗତସିଂପୁର ଜିଲ୍ଲା ୯୯.୦୯ ପ୍ରତିଶତ ହାରରେ ସର୍ବାଗ୍ରେ ରହିଥିଲା ବେଳେ ବୌଦ୍ଧ ଜିଲ୍ଲା ୯୬.୧୭ ପ୍ରତିଶତ ହାରରେ ସର୍ବନିମ୍ନ ତାଲିକାରେ ରହିଛି । ଏହି ପରୀକ୍ଷା ଫଳ ପ୍ରକାଶ ପରେ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ବିଶେଷକରି ଘରୋଇ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ନିଜ ଫଳାଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଆକ୍ଷେପ କରିଥିଲେ ଏବଂ ମାଧ୍ୟମିକ ଶିକ୍ଷା ପରିଷଦକୁ ଦୋଷାରୋପ କରିଥିଲେ । ଏପରି କି ସେମାନେ ପୁନଃ ମୂଲ୍ୟାୟନ କରିବା ପାଇଁ ନିଜ ନିଜ ସ୍କୁଲ୍ ଆଗରେ ଧାରଣା ଦେବା ସହିତ ସରକାରୀ ସ୍କୁଲ୍‌ପିଲାଙ୍କୁ ଗଧ, ସେମାନେ ଅଣ୍ଡା, ଛତୁଆ ଖାଇ, ଆମ ଠାରୁ ଭଲ ନମ୍ବର ରଖିଲେ, ଅଥଚ ଆମେ ଅଧିକ ଟଙ୍କା ଦେଇ ଘରୋଇ ସ୍କୁଲ୍‌ରେ ପଢି ଆମେ କମ୍ ନମ୍ବର ରଖିଲୁ ବୋଲି ଅଭିଯୋଗ କରିଥିଲେ । ସେତେବେଳେ ଏହି ଘଟଣାଟି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଥିଲା । ଏହା ପରେ ଘରୋଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ପୁନର୍ବାର ଅଫ ଲାଇନ୍ ପରୀକ୍ଷା ହୋଇଥିଲା । କିନ୍ତୁ ଏହି ପରୀକ୍ଷାରେ ଅଧିକାଂଶ ପିଲା କମ୍ ନମ୍ବର ରଖିଥିବା ଜଣାପଡ଼ିଥିଲା । ଘରେଇ ସ୍କୁଲ୍ ଓ ସରକାରୀ ସ୍କୁଲ୍‌କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ସେମାନଙ୍କ ପାଇଁ ଶୁଭଙ୍କର ନୁହେଁ । ଯିଏ ଜ୍ଞାନକୁ ଯେତେ ଆହରଣ କରିପାରିଲା, ସେ ଶିକ୍ଷାକୁ ସହଜରେ ହାସଲ କରିପାରିବ । ଏ ବାବଦରେ ଏକ ଉଦାହରଣ ନିମ୍ନରେ ;
ଗୋଟେ ଗାଁରେ ଜଣେ ବହୁତବଡ଼ ଧନୀ ମହାଜନ ତାଙ୍କର ତିନିପୁଅ ଓ ତିନିବୋହୁଙ୍କ ସହ ରହୁଥିଲେ । ମହାଜନଜଣକ ଯେତେ ଅଧିକ ବୃଦ୍ଧ ହୋଇ ଚାଲିଥିଲେ, ଦିନକୁ ଦିନ ତାଙ୍କର ଚିନ୍ତା ମଧ୍ୟ ବଢି ଚାଲିଥିଲା । ସେ ଭାବୁଥିଲେ ତାଙ୍କର ପ୍ରଚୁର ଧନସମ୍ପତ୍ତି ଥିବା ଭଣ୍ଡାର ଘରର ଚାବି ସେ କାହା ହାତରେ ଦେବେ,ଏକଥା ସେ ନିର୍ଣ୍ଣୟ କରିବା ପାଇଁ ତିନିବୋହୁଙ୍କ ବୁଦ୍ଧି ପରୀକ୍ଷା କରି ସବୁଠୁ ବୁଦ୍ଧିମତୀ ବୋହୁ ହାତରେ ଭଣ୍ଡାରଘରର ଚାବି ଦେବେ ବୋଲି ଚିନ୍ତା କଲେ । ସେଥିପାଇଁ ଦିନେ ସେ ତାଙ୍କର ପ୍ରଥମ ବୋହୁକୁ ଏକାକୀ ଡ଼ାକିଲେ ଓ ପ୍ରଶ୍ନ କଲେ, ବୋହୁ, ମୋତେ କୁହ, ତୁମକୁ କେଉଁ ମାସ ଓ କେଉଁ ଋତୁ ଅଧିକ ଭଲଲାଗେ? ପ୍ରଥମ ବୋହୁଜଣଙ୍କ ଶଶ୍ୱରଙ୍କଠାରୁ ହଠାତ୍ ଏପରି ଏକ ପ୍ରଶ୍ନ ଶୁଣି ଟିକେ ଚିନ୍ତା କରି କହିଲେ, ବାପା ମୋତେ ଗ୍ରୀଷ୍ମ ଋତୁ ସବୁଠାରୁ ଅଧିକ ଭଲ ଲାଗେ । କାହିଁକିନା ଏହି ସମୟରେ ରାସ୍ତାଘାଟ ସବୁ ଶୁଖିଲା ଥାଏ, କେଉଁଠି କାଦୁଅ କିମ୍ବା ଅଳିଆ ଆବର୍ଜନା ଦେଖିବାକୁ ମିଳେନାହିଁ । ଗ୍ରୀଷ୍ମଋତୁରେ ସାଧାରଣତଃ ଦିନ ବଡ଼ ହୋଇଥିବାରୁ ଘରର ଯାବତୀୟ କାମ କରିବାକୁ ମଧ୍ୟ ପ୍ରଚୁର ସମୟ ମିଳିଥାଏ । ତେଣୁ ମୋତେ ଗ୍ରୀଷ୍ମଋତୁ ବହୁତ ଭଲଲାଗେ । ଏହାପରେ ମହାଜନ ବୁଢା ତାଙ୍କର ଦ୍ୱିତୀୟ ବୋହୁଙ୍କୁ ମଧ୍ୟ ପ୍ରଶ୍ନ କଲେ, ଯେ ତାଙ୍କୁ କେଉଁ ମାସ ଓ କେଉଁ ଋତୁ ଅଧିକ ଭଲ ଲାଗେ । ଦ୍ୱିତୀୟ ବୋହୁ ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ, ମୋତେ ଶୀତଋତୁ ସବୁଠାରୁ ଅଧିକ ଭଲ ଲାଗେ । କାରଣ ଏହି ସମୟରେ ଅନେକ ପ୍ରକାର ପନିପରିବା ମିଳିଥାଏ । ଏହି ଋତୁରେ ଖରାଦିନ ପରି ଅଧିକ ଗରମ ହୁଏନାହିଁ କିମ୍ବା ବର୍ଷାଦିନ ପରି ଓଦା କି କାଦୁଅ ହେବାକୁ ମଧ୍ୟ ପଡ଼େନାହିଁ । ଶୀତଋତୁରେ ଚାରିଆଡ଼େ ଅଧିକ ଜାନିଯାତ୍ରା ଓ ମେଳା ମହୋତ୍ସବ ମଧ୍ୟ ପଡ଼ିଥାଏ । ଏହି ସମୟରେ ଯେତେ ଅଧିକ ପରିଶ୍ରମ କଲେ ମଧ୍ୟ ଖରାଦିନ ପରି ଗରମ ଲାଗିନଥାଏ । ଏହି ସମୟରେ ଘରର ପ୍ରତ୍ୟେକ କାମ ଅତି ସହଜରେ କରିପାରେ । ତେଣୁ ଶୀତଋତୁ ମୋତେ ସବୁବେଳେ ଅଧିକ ଭଲ ଲାଗେ । ଦ୍ୱିତୀୟ ବୋହୁଠାରୁ ଏପରି ଉତ୍ତର ଶୁଣିଲା ପରେ ମହାଜନ ବୁଢା ତାଙ୍କର ତୃତୀୟ ବୋହୁଙ୍କୁ ମଧ୍ୟ ସେହି ପ୍ରଶ୍ନ ପଚାରିଲେ ଯେ, କେଉଁ ମାସ ଓ କେଉଁ ଋତୁ ତମକୁ ସବୁଠାରୁ ଅଧିକ ଭଲ ଲାଗେ । ତୃତୀୟ ବୋହୁଜଣକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ ବାପା, ମୋତେ ବର୍ଷର ପ୍ରତ୍ୟେକ ମାସ ଓ ପ୍ରତ୍ୟେକ ଋତୁ ଭଲ ଲାଗେ । ସେ ଖରା ହୋଇଥାଉ କି, ବର୍ଷା, ଶୀତ ହେଉଥାଉ, କି ଗରମ, ମୁଁ ମୋର ପ୍ରତ୍ୟେକ କାମକୁ ଠିକ୍ ସମୟରେ ସୁଚାରୁ ରୂପେ କରିଥାଏ । ସମୟ କିମ୍ବା ପାଣିପାଗର ପରିବର୍ତ୍ତନ ମୋ କାମ ଉପରେ କିଛି ବି ପ୍ରଭାବ ପକାଏ ନାହିଁ । କାରଣ ମୁଁ ଜାଣିଛି, ଖରା, ବର୍ଷା, ଶୀତ ଏ ସବୁତ ସୃଷ୍ଟିର ନିୟମ ଅନୁସାରେ ଆସନ୍ତି ଓ ଯାଆନ୍ତି, ତେଣୁ ଏହାର ପରିବର୍ତ୍ତନ ଦ୍ୱାରା ମୋର କୌଣସି କାମ ପ୍ରଭାବିତ ହୁଏ ନାହିଁ । ତୃତୀୟ ବୋହୁର ଉତ୍ତର ଶୁଣିଲା ପରେ ବୃଦ୍ଧ ମହାଜନଙ୍କର ବହୁତ ବଡ଼ ଚିନ୍ତା ଦୂର ହେଲା । ସେ ତାଙ୍କର ଭଣ୍ଡାର ଘରର ଚାବି ସେହି ତୃତୀୟ ବୋହୁ ହାତରେ ଧରାଇ ଦେଇ ଶାନ୍ତିରେ ନିଃଶ୍ୱାସ ମାରିଲେ ।
ଖରା ବର୍ଷା ପରି ଛାତ୍ରଛାତ୍ରୀଙ୍କ ଜୀବନରେ ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତି ଆସିଥାଏ, ଯାଇଥାଏ ମଧ୍ୟ । ଖରାପ ସମୟରେ ବା ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନଯାଇ ନିଜର ଲକ୍ଷ୍ୟ ହାସଲ ପାଇଁ ପଢୁଥିବା ପାଠରୁ ବିଚ୍ୟୁତ ନରହି ନିରବଚ୍ଛିନ୍ନ ଭାବରେ ପରିଶ୍ରମ କରିଚାଲିଲେ ଶିକ୍ଷାକୁ ସହଜରେ ହାସଲ କରିହେବ, ଓ ପ୍ରତ୍ୟେକ ପିଲା ଭଲ ନମ୍ବର ରଖି ପରୀକ୍ଷାରେ ସଫଳତା ସହ କୃତକାର୍ଯ୍ୟ ହୋଇପାରିବେ, ଏଥିରେ ତିଳେମାତ୍ର ସହେନ୍ଦ ନାହିଁ । ପାଠପଢା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଉପରେ ସରକାରୀ ସ୍କୁଲ୍ ବା ଘରୋଇ ସ୍କୁଲ୍ କୌଣସି ପ୍ରଭାବ ପକାଇନଥାଏ । ନିଜର ଦୋଷ ଦୁର୍ବଳତାକୁ ନ ସୁଧାରି, ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା, ସରକାରୀ ସ୍କୁଲ୍ ପିଲାଙ୍କୁ ଗଧ ବୋଲି ଆକ୍ଷେପ କରିବା ନିଜର ହୀନ ମାନସିକତାର ପରିଚୟ ନିଶ୍ଚୟ । ଯାହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ