ମାକନ୍ଦା ଗ୍ରାମରେ ବାଲି ସୈରାତ ନିଲାମକୁ ବିରୋଧ
ବାଲେଶ୍ୱର, (ସରୋଜ ପଣ୍ଡା) : ରେମୁଣା ତହସିଲ ଅଧିନସ୍ଥ ମାକନ୍ଦା ରାଜସ୍ୱ ଗ୍ରାମ ପାଶ୍ୱର୍ରେ ବୁଢ଼ାବଳଙ୍ଗ ନଦୀର ବାଲିଖାଦାନ ନିଲାମକୁ ବିରୋଧ କରି ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ଗତ ଅକ୍ଟୋବର ୨୫ ତାରିଖ ଦିନ ରେମୁଣା ତହସିଲଦାରଙ୍କ ପକ୍ଷରୁ ଜାରି ୫୨୫୨ ନଂ ନିଲାମ ବିବରଣୀକୁ ଗ୍ରାମାବାସୀ ସମ୍ପୂର୍ଣ୍ଣ ବେଆଇନ ବୋଲି କହିଛନ୍ତି । ବୁଢ଼ାବଳଙ୍ଗ ନଦୀର ପ୍ରବଳ ସ୍ରୋତରେ ପ୍ରତିବର୍ଷ ବର୍ଷାଦିନେ କୂଳକ୍ଷୟ ହୋଇ ନଦୀ ଗର୍ଭକୁ ଚାଲିଯାଉଛି । ନଦୀକୂଳର ସୁରକ୍ଷା ପାଇଁ ପଥର ପ୍ୟାକିଂ କରାଯାଇନାହିଁ । ତେଣୁ ଗ୍ରାମବାସୀ ବିପଦସଂକୁଳ ଅବସ୍ଥାରେ ରହିଛନ୍ତି । ବାଲି ସୈରାତ ସ୍ଥାନକୁ କୌଣସି ସଡ଼କ ନାହିଁ । ତେଣୁ ନିଲାମଧାରୀମାନେ ଗୋଚର ଓ ଗ୍ରାମ୍ୟ ଜଙ୍ଗଲକୁ ନଷ୍ଟକରି ରାସ୍ତା ନିର୍ମାଣ ପାଇଁ ସୁଯୋଗ ସୃଷ୍ଟି ହେବା ଫଳରେ ସ୍ଥାନୀୟ ଅଞ୍ଚଳର ପରିବେଶ ସମସ୍ୟା ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମବାସୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରି ସ୍ଥାନୀୟ ଅଞ୍ଚଳରେ ବାଲିଖାଦାନ ନିଲାମ ପାଇଁ ଜନଶୁଣାଣି ମଧ୍ୟ ହୋଇନାହିଁ । ତହସିଲଦାରଙ୍କ ଦ୍ୱାରା ଜାରି ନୋଟିସ ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଏହାର ପୁନର୍ବିଚାର ପାଇଁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ରେମୁଣା ବିଧାୟକ ମଧ୍ୟ ବାଲି ସୈରାତ ନିଲାମ ସମ୍ପର୍କରେ ପୁନର୍ବିଚାର ପାଇଁ ପ୍ରଶାସନକୁ ଚିଠି ଲେଖିଥିବା ଗ୍ରାମାବସୀମାନେ କହିଛନ୍ତି । ତୁରନ୍ତ କ୍ଷେତ୍ର ତଦନ୍ତ ସହ ନିଲାମ ପ୍ରକ୍ରିୟା ବନ୍ଦ ପାଇଁ ସେମାନେ ଜିଲାପାଳଙ୍କୁ ଗୁହାରୀ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ବଂଶୀଧର ବେହେରା, ତପନ ପାଣିଗ୍ରାହୀ, ସୁବ୍ରତ ପଣ୍ଡା, ନିରଞ୍ଜନ ସେଠୀ, ହିମାଂଶୁ ପଣ୍ଡା, ପ୍ରାଣକୃଷ୍ଣ ପଣ୍ଡା ଓ ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।