ଅବସରପ୍ରାପ୍ତ ପ୍ରାଧ୍ୟାପକ ନାରାୟଣ ଜେନାଙ୍କ ହୃଦଘାତରେ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରସାୟନ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ନାରାୟଣ ଚନ୍ଦ୍ର ଜେନାଙ୍କର ୬୩ବର୍ଷ ବୟସରେ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦଘାତରେ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ପହଂଚିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିଛି । ସ୍ୱର୍ଗତ ଜେନାଙ୍କ ଘର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର (ହାବେଳୀ) ଗ୍ରାମରେ । ସେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟକରିବା ପରେ ବରୀ ଗୋପବନ୍ଧୁ କଲେଜରେ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ । ସେଠାରୁ ସେ ଅବସର ନେଇ ନିଜ ଗ୍ରାମରେ ରହୁଥିଲେ । ସେ ଇନ୍ଦୁପୁର ସରକାରୀ ହାଇସ୍କୁଲ ଛାତ୍ର ସଂସଦର କୋଷାଧ୍ୟକ୍ଷ ଥାଇ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବରୀ ଗୋପବନ୍ଧୁ କଲେଜର ବହୁ ଛାତ୍ର ଏବଂ ଅଧ୍ୟାପକ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ଇନ୍ଦୁପୁର ହାଇସ୍କୁଲକୁ ଅଣାଯିବା ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ବିୟୋଗରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡଃ. ସିପ୍ରା ମଲ୍ଲିକ, ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀବତ୍ସ ଲାଞ୍ଛନ ଜେନା, ସମ୍ପାଦକ ପ୍ରଣବ କୁମାର ଜେନା, ସଂସଦର ସମସ୍ତ କର୍ମକର୍ତ୍ତା, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଞ୍ଚର ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳ,ମହାକାଳପଡା ବିକାଶ ମଞ୍ଚର ସଭାପତି କାଶୀନାଥ ରାଉତରାୟ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ