ପଣ୍ଡିଚେରୀରେ ଶିଳ୍ପୀ ପଞ୍ଚାନନ ସାମଲଙ୍କ ଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚ।।ନନ ସାମଲଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ପଣ୍ଡିଚେରୀ ସହରର ଅରୋଧନ ଆର୍ଟ ଗ୍ୟାଲେରୀଠାରେ ଉଦ୍‌ଘାଟନ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ଟାଗୋର ଆର୍ଟସ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଇ.ଏମ୍‌. ରାଜନ ଓ ଅରୋଧନ ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ଲଳିତ ବର୍ବା ଉଦ୍‌ଘାଟନ କରିଥିଲେ । ପ୍ରଦର୍ଶନୀରେ ଶ୍ରୀ ସାମଲଙ୍କ ମୋଟ୍ ୨୦ଟି ଚିତ୍ର କଳା ପ୍ରଦର୍ଶିତ ହୋଇଛି ଯେଉଁଥିରୁ ୧୫ଟି ସମସାମୟିକ ସୃଜନଶୀଳ କଳା ଶୈଳୀରେ ଅଙ୍କିତ ହୋଇଥିବା ବେଳେ ୫ଟି ଚିତ୍ର ଏବଷ୍ଟାକ୍ଟ ପାର୍ଯ୍ୟାୟ ଶୈଳୀରେ ଅଙ୍କିତ ହୋଇଥିଲା । ଶ୍ରୀ ସାମଲଙ୍କ ଚିତ୍ରରେ ଭାରତୀୟ ସଂସ୍କୃତି ଏବଂ ସେଥିରେ ବୃଷଭର ଉପସ୍ଥାପନାକୁ ଦର୍ଶାଇବା ସ୍ଥଳେ ସ୍ଥାନେ ସ୍ଥାନେ ସେ ବୃଷଭର ଅବସ୍ଥିତିକୁ ମଣିଷର ପାରିବା ପଣର ଶୈଳୀକ ଢଙ୍ଗରେ ଚିତ୍ରାୟିତ କରିଛନ୍ତି । ଚିତ୍ରଗୁଡ଼ିକ ଗ୍ୟାଲେରୀର ଦର୍ଶକଙ୍କୁ ନୂତନ ଦୃଶ୍ୟାନୁଭୂତି ପ୍ରଦାନ କରିଥିଲେ । ଏହି ଅବସରରେ ପଣ୍ଡିଚେରୀରେ ପ୍ରବାସୀ ଓଡ଼ିଆ ଚିତ୍ରଶିଳ୍ପୀ ପ୍ରଭାତ ରାଉତରାୟଙ୍କ ସହ ପଣ୍ଡିଚେରୀର ବିଶିଷ୍ଟ ଚିତ୍ରଶିଳ୍ପୀ କେ.ଏମ୍‌. ସରୋବରଂ, ମନୁସ୍ୱାମୀ, ରାଜେନ୍ଦ୍ରନ୍‌, ଏଲ୍‌. କାତାପ୍ପାନେ, ମାଗେସ୍‌, ଜୟରାମନ, ହୀରାଲାଲ ରାଉତ ଓ ପ୍ରଶାନ୍ତ ମାଝି ପ୍ରମୁଖ ଶ୍ରୀ ସାମଲଙ୍କ ଚିତ୍ର ସମୀକ୍ଷା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ପ୍ରଦର୍ଶନୀ ଚଳିତ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ