ଦାଦନ ଖଟିବାକୁ ଯାଇ ପାଞ୍ଚ ମାସ ହେବ ସୋମନାଥ ନିଖୋଜ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳରେ ସରୁନି ଦାଦନ ଦୁଃଖ l ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, କେରଳ, ଚେନ୍ନାଇ, ଓ ବେଙ୍ଗୁଲୁରକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ। ହେଲେ ଦୁଃଖର ବିଷୟ କିଏ ଶବ ହୋଇ ଫେରୁଛି ତ ଆଉ କିଏ ବାହାର ରାଜ୍ୟରେ ଶାରିରୀକ ନିର୍ଯାତନାର ଶିକାର ହେଉଛନ୍ତି । ବିଭିନ୍ନ ସମୟରେ ବେଆଇନ ମାନବ ଚାଲାଣ ହେଉଛି । ଏପରିକି ନାବାଳିକା ଓ ମହିଳାଙ୍କୁ ଚାଲାଣ କରାଯାଇ ସେଠାରେ ଖରାପ କାମରେ ନିୟୋଜିତ କରାଯାଉଛି l ସଚେତନତା ଅଭାବରୁ ହେଉ ଅବା ପ୍ରଶାସନ କାମଧନ୍ଦା ଯୋଗାଇ ଦେବାରେ ଅକ୍ଷମ ଯୋଗୁଁ ଦଲାଲମାନେ ସକ୍ରିୟ ହେଉଛନ୍ତି l ପ୍ରଲୋଭନ ଦେଖାଇ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି l ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରେ। ଗୁଳିମରା ସାହିର ସୋମନାଥ ପୂଜାରୀ ଓରଫ ଶମ୍ବୁ ପୂଜାରୀ ନାମକ ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇ ଦୀର୍ଘ ପାଞ୍ଚ ମାସ ହେବ ନିଖୋଜ ଅଛନ୍ତି । ସୋମନାଥଙ୍କର କୌଣସି ସନ୍ଧାନ ମିଳୁନାହିଁ l ମିଳିଥିବା ସୂଚନା ଅନୁସାରେ, ଗତ ଜୁଲାଇ ୧ ତାରିଖ ଦିନ ଗୁଳିମରା ସାହିର ସନ୍ତୋଷ ମଙ୍ଗରାଜ ନାମକ ଜଣେ ଦଲାଲ ବିଭିନ୍ନ ପ୍ରଲୋଭନ ଦେଖାଇ ସୋମନାଥଙ୍କୁ ଆନ୍ଧ୍ର ପ୍ରଦେଶକୁ ନେଇ ଯାଇଥିଲା। ପୁଣି ଦୁଇ ଦିନପରେ ସୋମନାଥ ଗାଁକୁ ଫେରୁଥିବା ବେଳେ ଗୁଣ୍ଡୁର ରେଳ ଷ୍ଟେସନରେ ନିଖୋଜ ହୋଇଛି ବୋଲି ଖବର ଦେଇଥିଲା l ସୋମନାଥଙ୍କ ପରିବାର ଲୋକେ ସୋମନାଥଙ୍କୁ ଖୋଜି ଆଣିଦିଅ ବୋଲି ସନ୍ତୋଷକୁ କହିଥିଲେ। ହେଲେ ଦଲାଲ ସନ୍ତୋଷ ମଙ୍ଗରାଜ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହେଉଛି l ସୋମନାଥଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ମଧ୍ୟ ତାଙ୍କ ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଏନେଇ ସୋମନାଥ ପୂଜାରୀଙ୍କ ସ୍ତ୍ରୀ ସବିତା ପୂଜାରୀ ବାଲିଗୁଡା ଥାନାରେ ଏତଲା ଦେଇଥିଲେ l ତେବେ ତଦନ୍ତରେ ପୋଲିସ ଅବହେଳା କରୁଥିବା ନେଇ ଅଭିଯୋଗ କରିଛନ୍ତି lଏନେଇ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କୁ ଫୋନଯୋଗେ ପଚାରିବାରୁ ସେ କହିଛନ୍ତି ଯେ, ନିଖୋଜ ବ୍ୟକ୍ତି ଫୋନ ଧରୁନଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଉକ୍ତ ଘଟଣାର ତଦନ୍ତ ଚାଲିଛି। ସନ୍ତୋଷ ମଙ୍ଗରାଜକୁ ଡାକି ପଚରାଉଚରା କରାଯାଇ ଖୁବଶୀଘ୍ର ଉଦ୍ଧାର ପାଇଁ ପ୍ରୟାସ କରାଯିବ l ଏପଟେ ଶମ୍ବୁପୂଜାରୀ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ଚଳିବା ମୁସ୍କିଲ ହୋଇପଡିଛି। ପରିବାର ଲୋକେ ଭୋକ ଉପବାସରେ ସୋମନାଥଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି l ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ