ଭବିଷ୍ୟନିଧି ପାଣ୍ଠିର ପେନ୍ସନ୍ଭୋଗୀଙ୍କ ଗଣଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) : ଭବିଷ୍ୟନିଧି ପାଣ୍ଠି (ଇପିଏଫ୍)ରୁ ପେନ୍ସନ୍ ପାଉଥିବା ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଅବସରପ୍ରାପ୍ତ କର୍ମଚାରୀ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଇପିଏଫ୍ ପେନସନରର୍ସ ଆସୋସିଏସନ୍ର ଆହ୍ୱାନକ୍ରମେ ଦେଶବ୍ୟାପୀ ପ୍ରତିବାଦ ଦିବସ ଅନୁଷ୍ଠିତ ହେଉଥିବାର ଗଣଧାରଣା ସ୍ଥଳରେ କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ । ମାସିକ ସର୍ବନିମ୍ନ ପେନସନ୍ ୯ହଜାର ଟଙ୍କା, ବେତନ ଅନୁପାତରେ ବର୍ଦ୍ଧିତ ପେନସନ୍, ମହଙ୍ଗାଭତ୍ତା ପ୍ରଦାନ ଓ ସରକାରୀ ସ୍ୱାସ୍ଥ୍ୟବୀମାଭୁକ୍ତ କରିବା ଦାବିରେ ଏହି ଗଣଧାରଣା ଦିଆଯାଇଥିଲା । ଆସୋସିଏସନ୍ର ଜିଲ୍ଲା ସଭାପତି ଇଂ. ଅନାଦି ଚରଣ ବେହେରା ମହାତ୍ମାଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନକୁ ଉଦ୍ଘାଟନ କରିଥିଲେ । ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ନେଇ କେନ୍ଦ୍ର ସରକାରଙ୍କର ସ୍ୱଳ୍ପ ପେନ୍ସନ୍ଭୋଗୀ ବରିଷ୍ଠ ନାଗରିକମାନଙ୍କ ପ୍ରତି ଅବିଚାର ବିରୁଦ୍ଧରେ ଅବଗତ କରାଇ ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ଆସୋସିଏସନ୍ର ଦାବିର ଯଥାର୍ଥତା ସଂପର୍କରେ ଓ ରାଜ୍ୟ କମିଟିର ଆହ୍ୱାନରେ ଗଣଧାରଣାରେ ଯୋଗଦେଇଥିବା ବରିଷ୍ଠ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ବରିଷ୍ଠ ନାଗରିକମାନଙ୍କ ଦାବିକୁ ସମର୍ଥନ ଜଣାଇ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ଜିଲ୍ଲା ସଂପାଦକ ଇଂ. ବନମାଳୀ ନାୟକ, ସିଭିଲ୍ ସୋସାଇଟିର ସଭାପତି ତଥା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ତଥା ସମାଜସେବୀ ସୀତାରାମ ପ୍ରଧାନ, ଡାକକର୍ମଚାରୀ ନେତା ଗୋପାଳଚନ୍ଦ୍ର ପଢ଼ିଆରୀ, ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ନେତା ଭରତ ଚନ୍ଦ୍ର ସେଠୀ, ସମାଜସେବୀ ନିରଞ୍ଜନ ରାଉତ ଓ ଆଇନଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାର ତୁରନ୍ତ ଦାବିଗୁଡ଼ିକ ପୂରଣ ଦିଗରେ ଉଚିତ ପଦକ୍ଷେପ ନେବାକୁ ମତପ୍ରଦାନ କରିଥିଲେ । ଇପିଏଫ୍ ସଂସ୍ଥାରୁ ପେନସନ୍ ପାଉଥିବା ଉଠାଜଳସେଚନ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ, ସମବାୟ ବ୍ୟାଙ୍କ, ବିଭିନ୍ନ ସୂତାକଳ, ଝୋଟକଳ, ବିରଳା ଟାୟାର୍ସ, ଇମାମି ପେପର, ଇସ୍ପାତ ଏଲୟେଜ୍, ସିଡ଼୍ କର୍ପୋରେସନ୍, ଆଗ୍ରୋ ଇଣ୍ଡଷ୍ଟ୍ରି, ଇମ୍ପା, ଭୂଉନ୍ନୟନ ବ୍ୟାଙ୍କ୍, ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ୍, ଶାଳନ୍ଦୀ ପ୍ରୋଜେକ୍ଟ, ରାସ୍ତା ଓ ଗୃହନିର୍ମାଣ ବିଭାଗ ପ୍ରଭୃତି ସରକାରୀ ଓ ବେସରକାରୀ ପ୍ରତିଷ୍ଠାନର ଅବସରପ୍ରାପ୍ତ କର୍ମଚାରୀମାନେ ଧାରଣା ସ୍ଥଳରେ ଉପସ୍ଥିତ ଥିଲେ । ଉପରୋକ୍ତ ସଂସ୍ଥାମାନଙ୍କରୁ ସର୍ବଶ୍ରୀ ରତ୍ନାକର ପଣ୍ଡା, ହରିଶ ସାହୁ, ସନ୍ୟାସୀ ବେହେରା, ଅଶୋକ ଦାସ, ଅଧିଜିତ୍ ଦାସ, ଭୂପତି ଭୂଷଣ ଦାଶ, ଅନିରୁଦ୍ଧ ମହାନ୍ତି, ମାୟାଧର ନାୟକ, ଶ୍ୟାମସୁନ୍ଦର ଜେନା, ସୁରେଶ ନନ୍ଦ ଓ ଆନନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ଅବସର ପରେ ସ୍ୱଳ୍ପ ପେନସନ୍ଭୋଗୀ ବୟସ୍କ ବ୍ୟକ୍ତିମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ବହୁ କର୍ମଚାରୀ ଆର୍ଥିକ ଦୁରାବସ୍ଥାରୁ ଜରାଜନିତ ରୋଗର ଚିକିତ୍ସା ପାଇପାରୁନାହାନ୍ତି । ସେମାନଙ୍କ ଦାବି ପ୍ରତି ସରକାର ସୁବିଚାର ନକଲେ ବର୍ତ୍ତମାନର ଦରଦାମ୍ ବୃଦ୍ଧି ପରିସ୍ଥିତିରେ ଅନେକେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଥିଲେ । ଆସନ୍ତା ଡିସେମ୍ବର ୧୯ ତାରିଖ ଦିନ ଜିଲ୍ଲାସ୍ତରୀୟ ସମାବେଶରେ ଆଗାମୀ କାର୍ଯ୍ୟପନ୍ଥା ଘୋଷଣା କରାଯିବ ବୋଲି ଜିଲ୍ଲା ସଂପାଦକ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ଧାରଣାସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।


