ସୁରାଟରେ ସଡକ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ତିନି ଜଣଙ୍କ ମୃତ୍ୟୁ

ପୋଲସରା, (ଅନିଲ କୁମାର ମହାରଣା):ଗୁଜରାଟର ସୁରାଟ ସହରରେ ପୃଥକ ପୃଥକ ସଡକ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକ, ଚିରିକିପଡା ଶାସନ ଗ୍ରାମର ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଘୋଡ଼ାସାହି ନିବାସୀ ରମା ଜେନା ନିଜର ଦୁଇ ପୁଅ ଟୁକୁନା ଜେନା ଓ ସିଲୁ ଜେନା ସହିତ ଅକ୍ଟୋବର ୧୦ ତାରିଖ ଦିନ ସୁରାଟ ସହରକୁ ଯାଇଥିଲେ। ସେଠାରେ ପ୍ରାୟ ଏକ ମାସ ରହିବା ପରେ ମଙ୍ଗଳବାର ଦିନ ନିଜ ଗ୍ରାମକୁ ଫେରିବା ପାଇଁ ଅଟୋରିକ୍ସାରେ ଦୁଇ ଭାଇ ଓ ମାଆ ରେଳ ଷ୍ଟେସନକୁ ଯିବା ସମୟରେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଘଟଣା ସ୍ଥଳରେ ବଡ ପୁଅ ଟୁକୁନା (୩୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ପୁଅ ସିଲୁ ଜେନା (୩୦)ଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ରୋଜଗାରିଆ ଦୁଇ ଭାଇଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ପରେ ଦୁଇ ଭାଇଙ୍କ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇ ଯାଇଛନ୍ତି। ସେହି ପରି ଚିରିକିପଡା ଶାସନ ଗ୍ରାମର କଣିତୋଟା ସାହିର ସନ୍ତୋଷ ବେହେରା(୪୦) ନଭେମ୍ବର ୧୦ ତାରିଖ ଦିନ ସୁରାଟରୁ ନିଜ ଗ୍ରାମକୁ ଆସିବା ପାଇଁ ଅଟୋରିକ୍ସାରେ ଷ୍ଟେସନକୁ ଯିବା ସମୟରେ ତାଙ୍କର ମଧ୍ୟ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ତିନି ଶ୍ରମିକ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସେମାନଙ୍କ ପରିବାର ଲୋକେ କିପରି ବଞ୍ଚିବେ ଚିନ୍ତାରେ ଅଛନ୍ତି। ଉଭୟ ଗୁଜୁରାଟ ଓ ଓଡିଶା ସରକାର ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଚିରିକିପଡା ଶାସନ ଗ୍ରାମବାସୀ ଦାବି କରିଛନ୍ତି। ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ମଧ୍ୟ ଗୁଜରାଟ ସରକାରଙ୍କୁ ଦାବି ଜଣାଇ ଗରିବ ତିନି ଶ୍ରମିକ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଉଦ୍ୟମ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ