ଐତିହାସିକ ଗବେଷକ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ‘ଭୁବନେଶ୍ୱର ଇତିହାସ’ ଲୋକାର୍ପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ନାଗରିକ ମହାଞ୍ଚ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ବିଶିଷ୍ଟ ଐତିହାସିକ, ଗବେଷକ, ସ୍ତମ୍ଭକାର ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୧ତମ ଜନ୍ମଦିବସ ଅବସରରେ ତାଙ୍କ ସାରସ୍ୱତ କୃତି ତଥା ଗବେଷଣାତ୍ମକ ପୁସ୍ତକ “ଭୁବନେଶ୍ୱର ଇତିହାସ” ସ୍ଥାନୀୟ ଶହୀଦନଗରସ୍ଥିତ ଜୟଦେବ କମ୍ପେ୍ଲକ୍‌ସ୍‌ଠାରେ ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତା ଓ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ଜନନେତା ଡଃ ଦାମୋଦର ରାଉତ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍‌ର ସଦସ୍ୟ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ନିରଞ୍ଜନ ସାହୁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର, ସାହିତ୍ୟିକ ଦାଶ ବେନହୁର ଯୋଗଦେଇ ଡଃ ତ୍ରିପାଠୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସାରସ୍ୱତ କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ସତ୍ୟ, ସଠିକ୍ ଗବେଷଣା ସହିତ ଆଜିର ଯୁବପିଢ଼ୀ ସେହି ଦିଗରେ କାର୍ଯ୍ୟ କରିବା ପାଇଁ ଅଗ୍ରସର ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରି କହିଲେ ଯେ, ପୂଜ୍ୟପୂଜା ହେଉଛି ଆମର ପାତାଳଭେଦୀ ସଂସ୍କୃତି । ନିଷ୍ଠା, ସମୟାନୁବର୍ତ୍ତିତା, କର୍ତ୍ତବ୍ୟ ପରାୟଣତା ତଥା ଗଭୀର ଅଧ୍ୟୟନ ଦ୍ୱାରା ନିଜ ତଥା ରାଷ୍ଟ୍ରର ପ୍ରଭୂତ ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରାଯାଇଥିଲା । ଅନାଲୋଚିତ ଇତିହାସର ଗର୍ଭାନୁଶୀଳନର ବହୁ ପ୍ରାସଙ୍ଗିକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଡଃ ତ୍ରିପାଠୀଙ୍କୁ ପାଇକ ସଂଗଠନର ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ, ସୁବାର୍ତ୍ତା ପକ୍ଷରୁ ବରିଷ୍ଠ ସାମ୍ବାଦିକ କ୍ରାନ୍ତିଧର, ଜନଚେତନା ପରିଷଦ ପକ୍ଷରୁ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ପିଣ୍ଡିକି ବାହୁବଳେନ୍ଦ୍ର ସ୍ମୃତି କମିଟି ପକ୍ଷରୁ ଅମରେନ୍ଦ୍ର ମହାପାତ୍ର, ସାରସ୍ୱତ ପ୍ରତିଭାଧାରୀ ବେଣୁଧର ହରିଚନ୍ଦନ, ଓଡ଼ିଶା ସମାଜସେବୀ ମହାସଂଘ ପକ୍ଷରୁ ସଭାପତି ନାରାୟଣ ଓଝା, କଳ୍ପନା ଛକ ଟୋକା ସଂଘ ପକ୍ଷରୁ ରୋହିତ ଦାସ, ଉତ୍କଳ ବୁଲେଟିନ୍ ପକ୍ଷରୁ ସାମ୍ବାଦିକ ପ୍ରିୟବ୍ରତ ବାରିକ, ଡଃ ଅସିତ୍ ଦାସ ପ୍ରମୁଖ ଶୁଭ ଅଭିନନ୍ଦନ ଜଣାଇଥିଲେ । ଶେଷରେ ଧନ୍ୟବାଦ ଅର୍ପଣ ପଦ୍ମନାଭ ତ୍ରିପାଠୀ କରିଥିଲା ବେଳେ ପ୍ରମୁଖ ପରିଚାଳନା କରିଥିଲେ ସତ୍ୟବ୍ରତ ଜେନା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ