ପୁସ୍ତକ ରୂପକ ବନ୍ଧୁ ମନୁଷ୍ୟର ଅନ୍ତର୍ନିହିତ ଜ୍ଞାନ ବିକାଶରେ ସହାୟକ ହୋଇଥାଏ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପୁସ୍ତକ ରୂପକ ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଯିଏକି ମନୁଷ୍ୟକୁ ସମସ୍ତ କୁଭାବନା, ଦ୍ୱେଷ ତଥା ସମସ୍ୟାରୁ ବାହାରକୁ ଆଣି ତା’ର ଅନ୍ତର୍ନିହିତ ଜ୍ଞାନ ବିକାଶରେ ସହାୟକ ହୋଇଥାଏ ବୋଲି ଡି.ଏ.ଭି କଳିଙ୍ଗ ନଗରଠାରେ ଜାତୀୟ ପୁସ୍ତକ ସପ୍ତାହର ବର୍ଣ୍ଣାଢ୍ୟ ଉଦ୍ଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସୁନାମଧନ୍ୟ ଲେଖକ, ପ୍ରଶାସକ ତଥା ସୁବକ୍ତା ଦେବପ୍ରସାଦ ଦାଶ (ଓ.ଏ.ସ.) ମତବ୍ୟକ୍ତ କରିଛନ୍ତି । ସୃଜନାତ୍ମକ ଲେଖାପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ ଦାଶ ପୁସ୍ତକକୁ ଏକ ଆନୁଗତ୍ୟ ବନ୍ଧୁ ରୂପେ ବିବେଚନା କରିବା ସହ ଏହା ମନୁଷ୍ୟକୁ ଏକ କଳ୍ପନା ରାଇଜକୁ ନେଇ ତାହାକୁ ଭାଷାରେ ପରିଣତ କରିବାରେ ସହାୟକ ହୋଇଥାଏ ବୋଲି ମଧ୍ୟ ମତ ରଖିଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ ପୁସ୍ତକ ପଠନ ଏକ ବିଷୟବସ୍ତୁର ସାମଗ୍ରିକ ଜ୍ଞାନ ପ୍ରଦାନ କରେବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦାଶ ଛାତ୍ରଛାତ୍ରୀ ମାନଙ୍କ ସହିତ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ପୁସ୍ତକ ସପ୍ତାହ ଅବସରରେ ଆୟୋଜିତ ପ୍ରବନ୍ଧ, ତର୍କ, ସାଧାରଣ ଜ୍ଞାନ, କବିତା ଆବୃତ୍ତି ପ୍ରଭୁତି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଦାଶ ତାଙ୍କ ଏକାଧିକ ସ୍ୱରଚିତ ପୁସ୍ତକକୁ ବିଦ୍ୟାଳୟ ପାଠାଗାର ପାଇଁ ପ୍ରଦାନ କରିଥିଲେ । ବିଦ୍ୟାଳୟ ତରଫରୁ ଦାଶଙ୍କୁ ଉପଢୌକନ, ଚାରା, ରୌପ୍ୟଜୟନ୍ତୀ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ପାଠାଗାର ଅଧିକାରୀ ହେମକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦାଶ ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ପର୍ଯ୍ୟବେକ୍ଷିକ ପର୍ଯ୍ୟବେକ୍ଷିକା, ପାଠାଗାର କମିଟିର ସଦସ୍ୟ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


