ସହକାରୀ ଶ୍ରମ ଆୟୁକ୍ତଙ୍କୁ ଘେରିଲା ଭାରତୀୟ ମଜଦୁର ସଂଘ
ବାଲେଶ୍ୱର, (ସରୋଜ ପଣ୍ଡା) : ବିଭିନ୍ନ ଦାବି ନେଇ ଶ୍ରମିକ ସଙ୍ଗଠନ ଭାରତୀୟ ମଜଦୁର ସଂଘ (ବିଏମଏସ) ପକ୍ଷରୁ ବାଲେଶ୍ୱର ଉପ-ଶ୍ରମ ଆୟୁକ୍ତ (ଡିଏଲସି)ଙ୍କ କାର୍ଯ୍ୟାଳୟ ଗୁରୁବାର ଘେରାଉ କରାଯାଇଥିଲା । ଏନେଇ ସଂଘର ସଦସ୍ୟ ଓ କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରା ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ବାହାରି ଶ୍ରମ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ପ୍ରତାବାଦ ସଭାରେ ବିଏମଏସର ରାଜ୍ୟ ସଭାପତି ପୃଥିୀରାଜ ପଣ୍ଡା, ବରିଷ୍ଠ ଶ୍ରମିକ ନେତା ବସନ୍ତ କୁମାର ସାହୁ, ସଂଘର ଜିଲା କାର୍ଯ୍ୟକାରୀ ସଭାପତି ଶକୁନ୍ତଳା ଗୋଚ୍ଛାୟତ, ସମ୍ପାଦକ ପଦ୍ମ ଭୂଷଣ ରାୟ ପ୍ରମୁଖ ଯୋଗଦେଇ ନିର୍ମାଣ ଶ୍ରମିକଙ୍କ ନୂତନ ପଞ୍ଜୀକରଣ, ନବୀକରଣ ଓ ସହାୟତା ପ୍ରଦାନରେ ପ୍ରଶାସନିକ ତଥା ସରକାରୀ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ଦୀର୍ଘଦିନ ପୂର୍ବରୁ ପଞ୍ଜୀକରଣ କରିଥିଲେ ମଧ୍ୟ ନିର୍ମାଣ ଶ୍ରମିକଙ୍କୁ କୌଣସି ସରକାରୀ ସୁବିଧା ମିଳୁ ନଥିବା ବେଳେ ଶ୍ରମିକ ପରିବାର ଏବେ ଦୟନୀୟ ସ୍ଥିତିରେ ଥିବା ସେମାନେ କହିଥିଲେ । ବାକିଥିବା ଶ୍ରମିକଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା, ଆବେଦନ କରିଥିବା ଲକ୍ଷାଧିକ ନର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ କରିବା, କରୋନା ସହାୟତାରୁ ବଞ୍ଚିତ ସମସ୍ତ ଶ୍ରମିକଙ୍କୁ ସେମାନଙ୍କର ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା, ଖାଲି ପଡ଼ିଥିବା ବ୍ଲକ ସ୍ତରୀୟ ସହକାରୀ ଶ୍ରମ ଅଧିକାରୀ ପଦ ତୁରନ୍ତ ପୂରଣ କରିବା, ଜିଲା ଶ୍ରମ କାର୍ଯ୍ୟାଳୟର ଖାଲି ପଡ଼ିଥିବା ଅଧିକାରୀ ଓ କର୍ମଚାରୀ ପଦ ଶୀଘ୍ର ପୂରଣ ପାଇଁ ବକ୍ତାମାନେ ଦାବି କରିଥଲେ । ଦାବି ପୂରଣ ନେଇ ଉଚତ ପଦକ୍ଷେପ ଗ୍ରହଣ କରା ନଗଲେ ବିଏମଏସ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଏହି ଅବସରରେ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସହକାରୀ ଶ୍ରମ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଥିଲା । ଜିଲାର ବିଭିନ୍ନ ଅଞ୍ଚଳରୁ ବହୁଶ୍ରମିକ ଏହି ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।


