୨୨ତମ ରାଜ୍ୟ ସମ୍ମିଳନୀ ଯୋଗଦେବେ ସୀତାରାମ ୟେଚୁରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଚଳିତମାସ ୩୦ ତାରିଖରୁ ଡ଼ିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଉରକେଲାଠାରେ ସିପିଆଇ (ଏମ୍‌)ର ୨୨ତମ ଓଡ଼ିଶା ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଏହି ସମ୍ମିଳନୀକୁ ପାର୍ଟିର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଉଦ୍‌ଘାଟନ କରିବେ ଏବଂ ପଲିଟିବ୍ୟୁରୋ ସଦସ୍ୟ ସୂର୍ଯ୍ୟକାନ୍ତ ମିଶ୍ର ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ । ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ନଭେମ୍ବର ୩୦ ତାରିଖ ଦିନ ବଣାଇ ଠାରେ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସଭାପତିତ୍ୱରେ ଖୋଲା ଅଧିବେଶନ ନିମନ୍ତେ ବିଶାଳ ଜନସଭା ଅନୁଷ୍ଠିତ ହେବ । ଏହି ସଭାରେ ସୀତାରାମ ୟେଚୁରୀଙ୍କ ସମେତ ସୂର୍ଯ୍ୟକାନ୍ତ ମିଶ୍ର, ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ଓଡ଼ିଶାର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ବିଷ୍ଣୁ ମହାନ୍ତି ଏବଂ ସୁନ୍ଦରଗଡ଼ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ ପ୍ରମୁଖ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ୍ୱ ନିର୍ବାଚିତ ପ୍ରତିନିଧି ଓ ଦର୍ଶକ ଏହି ସମ୍ମିଳନୀରେ ଯୋଗଦେବେ । ଐତିହାସିକ କୃଷକ ଆନ୍ଦୋଳନ ଫଳରେ ତିନୋଟି ଜନବିରୋଧି କୃଷି ଆଇନ ବାତିଲ କରିବା ଘୋଷଣା ଏକ ବିରାଟ ବିଜୟ । କିନ୍ତୁ ଚାଷୀମାନଙ୍କ ଠାରୁ ସମସ୍ତ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣିବାର ଗ୍ୟାରେଣ୍ଟି ପାଇଁ ଆଇନ କରିବା, ଆନ୍ଦୋଳନରେ ସହୀଦ ହୋଇଥିବା ୭୫୦ କୃଷକଙ୍କ ପରିବାରଙ୍କୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ ଏବଂ ପ୍ରତ୍ୟେକ ପରିବାରର ଜଣଙ୍କୁ ସରକାରୀ ନିଯୁକ୍ତି, ଜନବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍‌-୨୦୨୦ ପ୍ରତ୍ୟାହାର ଇତ୍ୟାଦି ଦାବିଗୁଡ଼ିକ ପୂରଣ ପାଇଁ ଆନ୍ଦୋଳନକୁ ତୀବ୍ର କରିବା ସମ୍ପର୍କରେ ସିପିଆଇ (ଏମ୍‌) ସମ୍ମିଳନୀରେ ଆଲୋଚନା ହେବ । ଏତଦ୍‌ବ୍ୟତୀତ ଶ୍ରମିକ ବିରୋଧୀ ଚାରୋଟି ଶ୍ରମକୋଡକୁ ପ୍ରତ୍ୟାହାର କରିବା ଏବଂ ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଥିବା ଆଇନକୁ କାର୍ଯ୍ୟକାରୀ କରିବା ଏବଂ ଶ୍ରମିକ-କୃଷକ ମାନଙ୍କର ମିଳିତ ଆନ୍ଦୋଳନ ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ । ଏହି ସମ୍ମିଳନୀରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଆକାଶଛୁଆଁ ଦର ବୃଦ୍ଧି, ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର ବୃଦ୍ଧି, ଓଡ଼ିଶାରେ ଭାଗଚାଷୀଙ୍କ ଉତ୍କଟ ସମସ୍ୟା, ରାଜ୍ୟରେ ବର୍ଦ୍ଧିତ ବେକାରୀ, ଆଇନ ଶୃଙ୍ଖଳା ପରିସ୍ଥିତିର ଅବନତି, ମହିଳା ଏବଂ ଶିଶୁଙ୍କ ସୁରକ୍ଷା ବିପନ୍ନ, ପୋଲିସ୍ ହାଜତରେ ମୃତ୍ୟୁ ଏବଂ ଭୟଙ୍କର ଦୁର୍ନୀତି ପ୍ରସଙ୍ଗରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଯୋଜନା ଗ୍ରହଣ କରାଯିବ ।
ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା କରିବା ସହ ବିଜେପି ସରକାରର ଏକଛତ୍ରବାଦୀ ଏବଂ ହିନ୍ଦୁତ୍ୱବାଦୀ ନୀତି ବିରୁଦ୍ଧରେ ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତ ବାମ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତିର ବ୍ୟାପକ ଏକତା ଏବଂ ପ୍ରଭାବଶାଳୀ ଆନ୍ଦୋଳନ ଗଢିବାର ଆବଶ୍ୟକତା ସମ୍ପର୍କରେ ଗଭୀର ଭାବେ ଆଲୋଚନା କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ