ଜିଲା ବ୍ରାହ୍ମଣ ସମିତିର ଅଧିବେଶନ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବ୍ରାହ୍ମଣ ସମିତିର ୧୦୫ତମ ଅଧିବେଶନ ସଭାପତି ଡା. ଶ୍ରୀଶ କୁମାର ଦାଶଙ୍କ ପୌରହିତ୍ୟରେ ଦାମୋଦରପୁର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ଡ. କ୍ଷିତୀଶ୍ୱର ଦାଶ ବେଦପାଠାରେ ଆରମ୍ଭ ଏହି ଅଧିବେଶନରେ ଦିବଂଗତ ସମିତିର ପ୍ରଥମ ସଭାପତି ଆଇନଜୀବୀ କୃତିବାସ ପାଣିଗ୍ରାହୀ ଓ ଆଜୀବନ ସଭ୍ୟ ପଣ୍ଡିତ କୃପାସିନ୍ଧୁ ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଗୌରଚନ୍ଦ୍ର ଦାଶ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପରେ ଚଳିତ ୨୦୨୧-୨୨ ବର୍ଷର ସାଧାରଣ ସଭା ଆସନ୍ତା ଡିସେମ୍ବର ମାସ ୧୯ ତାରିଖ ରବିବାର ଦିନ ସମିତି କାର୍ଯ୍ୟାଳୟ ଆୟୋଜନ ପାଇଁ ଧାର୍ଯ୍ୟ କରାଯାଇଥିଲା । ଏଥି ସହିତ ସମିତିର କାର୍ଯ୍ୟକାରୀ ସୀମା ଜିଲାର ସମସ୍ତ ୧୨ଗୋଟି ବ୍ଲକକୁ ଗତିଶୀଳ କରିବା ଓ ସଙ୍ଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲାର ପ୍ରତି ପଞ୍ଚାୟତ ଓ ବ୍ଲକ ସ୍ତରରେ ସାଙ୍ଗଠନିକ ସଭାମାନ ଅନୁଷ୍ଠିତ କରାଇବାକୁ ବୈଠକରେ ଲକ୍ଷ୍ମୀଧର ମହାପାତ୍ର ଓ ପଣ୍ଡିତ ଭୃଗୁରାମ କରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଔପଦା, ସୋର, ନୀଳଗିରି, ବାଲିଆପାଳ ଓ ବସ୍ତା ଆଦି ବ୍ଲକରେ ସମିତି କାର୍ଯ୍ୟ ସଠିକ ଭାବେ ନ ଚାଲିବାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହା ବ୍ୟତୀତ ସମିତିର ବେଦ ବିଦ୍ୟାଳୟ ଶ୍ରେଣୀକକ୍ଷଗୁଡ଼ିକ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଥିବାରୁ ତା’ର ପୁନଃ ନିର୍ମାଣ ସହିତ ଏକ କଲ୍ୟାଣ ମଣ୍ଡପ ଓ ଗୋଟିଏ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ର, ହରେକୃଷ୍ଣ ପଣ୍ଡା, ଭୃଗୁରାମ କର, ସର୍ବେଶ୍ୱର ପତି, ପ୍ରଦୀପ ଚକ୍ରବର୍ତ୍ତୀ, କ୍ଷୀତିଶ ଚନ୍ଦ୍ର ପଣ୍ଡା, ବୈଦ୍ୟନାଥ ଆଚାର୍ଯ୍ୟ ଓ ନିରାକାର ଦାଶ ପ୍ରମୁଖଙ୍କ ସମେତ ସମିତିର ବହୁସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପଣ୍ଡିତ ରାଧାକୃଷ୍ଣ ଆଚାର୍ଯ୍ୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।