ଓଡିଶା ବିଦ୍ୟୁତ ଉପଭୋକ୍ତା ମିଳିତ ମଂଚର ନାଉଗାଁ ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଓଡିଶା ବିଦ୍ୟୁତ ଉପଭୋକ୍ତା ମିଳିତ ମଂଚର ନାଉଗାଁ ଶାଖା ପକ୍ଷରୁ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ଦଫା ସମ୍ବଳିତ ଏକ ଦାବିପତ୍ର ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ଗୁରୁବାର ପ୍ରଦାନ କରାଯାଇଛି । ଏଥିରେ ବିଦ୍ୟୁତକୁ ବଜାରର ପଣ୍ୟ ନୁହେଁ ସେବା ଭାବେ ବିବେଚନା, ଏକଚାଟିଆ ପୁଂଜିପତିଙ୍କ ସ୍ୱାର୍ଥ ରକ୍ଷାକାରୀ ବିଦ୍ୟୁତ ଆଇନ ୨୦୦୩ ଓ ସଂଶୋଧନ ବିଲ୍-୨୦୨୧କୁ ଅବିଳମ୍ବେ ବାତିଲ କରିବା, ପ୍ରିପେଡ ମିଟର ଲଗାଇବା ପ୍ରସ୍ତାବ ବାତିଲ କରିବା, ତଥାକଥିତ କ୍ରସ ସବସିଡ ଉଠାଇ ଦେବା ନାଁରେ ସାଧାରଣ ଲୋକଙ୍କ ପାଇଁ ବିଦ୍ୟୁତ ଶୁକ୍ଲ ବୃଦ୍ଧି ବନ୍ଦ କରିବା, କୃଷି କ୍ଷେତ୍ରରେ ବିନା ମୂଲ୍ୟରେ, ଘରୋଇ କ୍ଷେତ୍ରରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିନା ମୂଲ୍ୟରେ ଏବଂ ବ୍ୟବସାୟୀ ଓ କ୍ଷୁତ୍ର ଶିଳ୍ପ କ୍ଷେତ୍ରରେ ୟୁନିଟ୍ ପ୍ରତି ୧ ଟଙ୍କା ମୂଲ୍ୟରେ ବିଦ୍ୟୁତ ଯୋଗାଣ, ଅପ୍ରଚଳିତ ବିଦ୍ୟୁତ ଉତ୍ପାଦନ ଓ ବ୍ୟବହାର କ୍ଷେତ୍ରର ସାଧାରଣ ଗ୍ରାହକମାନଙ୍କ ପ୍ରତି ବାଧା ନିଷେଧ ଆରୋପ କରାନଯିବା, ଓଡିଶା ରାଜ୍ୟରେ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ବିଲ୍ ଦେଇ ଉପଭୋକ୍ତାଙ୍କୁ ଶୋଷଣ ବନ୍ଦ କରିବା, ବିଦ୍ୟୁତସେବା କ୍ଷେତ୍ରକୁ ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବେ ପରିଚାଳନା କରିବା ଆଦି ଦାବି ରହିଛି । ମଂଚ ପକ୍ଷରୁ ବଂଶୀଧର ବେହେରା, ସୁବାସ ସ୍ୱାଇଁ, ବସନ୍ତ ମଲ୍ଲିକ, ଅଶୋକ ସ୍ୱାଇଁ, କୈଳାସ ଚନ୍ଦ୍ର ପରିଡା, ବାସୁଦେବ ବାରିକ, ରାଜୀବ ଲୋଚନ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।


