ନିକିରାଇ ଥାନାଧିକାରୀଙ୍କୁ ଭେଟିଲେ ୧୪ ସରପଞ୍ଚ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇ ଥାନା ଅଧିନ ୧୪ଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ସରପଞ୍ଚଙ୍କ ପ୍ରତିନିଧିମାନେ ଗୁରୁବାର ନିକିରାଇ ଥାନାରେ ନୂତନ ଭାବେ ଯୋଗଦେଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ କାଦମ୍ବିନୀ ପରିଡ଼ାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ମୁକ୍ତ ଅଞ୍ଚଳ କରାଯିବା ପାଇଁ ପ୍ରୟାସ ଓ ଭାଇଚାରା ରକ୍ଷା କରିିବା ପାଇଁ ଆଲୋଚନା କରିଛନ୍ତି । ଏହି ଅବସରରେ କୁତରଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ସୀତାସୁନ୍ଦରୀ ମଲ୍ଲିକ କହିଥିଲେ ଯେ ତାଙ୍କ ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତ ଗୁଡିକରେ କିପରି ଅପରାଧ ନିୟନ୍ତ୍ରଣ ହେବ ସେ ନେଇ ଆମେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବୁୁ । ସେହିପରି ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ମଧ୍ୟ ଆମେ ପୋଲିସକୁ ସହଯୋଗ କରିବୁ । ଅନ୍ୟ ସରପଞ୍ଚ ଓ ସରପଞ୍ଚଙ୍କ ପ୍ରତିନିଧିମାନେ ନିକିରାଇ ଥାନାକୁ ପଞ୍ଚାୟତ ଗୁଡିକ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରାଯିବ ବେଲି ପ୍ରତିଶୃତି ଦେଇଥିଲେ । ଆମେ ଚେଷ୍ଟା କରିବୁ ଯେପରି ବିଭିନ୍ନ ପରିସ୍ଥିତିରେ ଭାଇଚାରା ରକ୍ଷା କରାଯାଇ ପାରିବ । ଠିକ ସେହିପରି ଥାନାଧିକାରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ ଲୋକମାନଙ୍କ ବିନା ସହଯୋଗରେ ପୋଲିସ ଆଇନ୍‌ଶୃଙ୍ଖଳା ପରିସ୍ଥିତି ରକ୍ଷା କରିିବା ସମ୍ଭବ ନୁହେଁ । ସେହିପରି କୌଣସି ଅପରାଧ ଘଟିଲେ ଅପରାଧୀଙ୍କୁ ଧରିବା ପାଇଁ ମଧ୍ୟ ଜନ ପ୍ରତିନିଧି ଓ ଜନସାଧାରଣଙ୍କ ଗୁରତ୍ୱପୂର୍ଣ୍ଣ ଭୂମିକା ରହିଛି । ପଞ୍ଚାୟତ ସ୍ତରରେ ଜନ ପ୍ରତିନିଧିମାନଙ୍କ ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ହୋଇଥାଏ । ତେଣୁ ବିଭିନ୍ନ ସମସ୍ୟାର ଆଶୁ ସମାଧାନ ପାଇଁ ଥାନା ପକ୍ଷରୁ ଜନ ପ୍ରତିନିଧିମାନଙ୍କ ସହଯୋଗ ଲୋଡାଯିବ । ଏହି ସାକ୍ଷାତ ସମୟରେ ନିକିରାଇ ସରପଞ୍ଚସନତ କୁମାର ଜେନା, ଢୋଲ ସରପଞ୍ଚ ଝୁନା ମଲ୍ଲିକ, କୁତରଙ୍ଗ ଗ୍ରାମ ପଞ୍ଚାୟତର ଯୁବନେତା ନରୋତ୍ତମ ମଲ୍ଲିକ ଇନ୍ଦୁପୁର ସରପଞ୍ଚ ରୀନା ମଲ୍ଲିକ, ଧୂମାତ ସରପଞ୍ଚ ନରହରି ପାଣି, କୋରୋ ସରପଞ୍ଚ ତଅପୋଇ ମଲ୍ଲିକ, ନହଙ୍ଗ ସରପଞ୍ଚ ଉମାକାନ୍ତ ନାୟକ, ଛୋଟୀ ସରପଞ୍ଚ କୁମାର ଚନ୍ଦ୍ର ବଳ, ମଙ୍ଗଳପୁର ସରପଞ୍ଚ ପ୍ରଭାତ କୁମାର ମଲ୍ଲିକ, ଚାରିଗାଁ ସରପଞ୍ଚ ଭାରତୀ ମଲ୍ଲିକ, ପଳସିଂହା ସରପଞ୍ଚ କାଦମ୍ବିନୀ ମହାପାତ୍ର, ଘାଗରା ସରପଞ୍ଚ ରବିନ୍ଦ୍ର ମଲ୍ଲିକ, କଳାକାର ମଲ୍ଲିକ, ଶରତ କୁମାର ମଲ୍ଲିକ ଓ ଅନନ୍ତ ପ୍ରସାଦ ମଲ୍ଳିକଙ୍କ ସମେତ ନିକିରାଇ ଥାନାର ଏ.ଏସ.ଆଇ. ରଣେନ୍ଦ୍ର ସାମଲ ଏବଂ ଏ.ଏସ.ଆଇ. ଶରତ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ