ଭିନ୍ନକ୍ଷମ ଦିବସରେ ୫ ପୁରସ୍କୃତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଡ଼ିସେମ୍ବର ୩ ତାରିଖକୁ ପ୍ରତିବର୍ଷ ବିଶ୍ୱ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଇ ଆସୁଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ଶୁକ୍ରବାର ପୌର କାର୍ଯ୍ୟାଳୟ ପରିସରରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରାଞ୍ଚଳର ୪୦ ଭିନ୍ନକ୍ଷମ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ମାନଙ୍କ ଶିକ୍ଷା, ଆଇନ ସହାୟତା ଓ ସରକାରୀ ସୁବିଧା ସୁଯୋଗ ଉପଲବ୍ଧି ସର୍ମ୍ପକରେ ସୂଚନା ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ପରି ନିଜକୁ ଅବହେଳିତ ଓ ଅକ୍ଷମ ମନେନକରି ସମାଜରେ ନିଜ ଲକ୍ଷ୍ୟ ପୂରଣ ଓ ପ୍ରତିଷ୍ଠିତ ହେବା ପାଇଁ ଉଦ୍ୟମ କରିବା ଦିଗରେ ପରାମର୍ଶ ଦେଇଥିଲେ । ଏହି ଉପଲକ୍ଷେ ତର୍କ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାରେ ରବିନ୍ଦ୍ର ପାଣିଗ୍ରାହୀ, ବଳରାମ ମୁନି, ଉତମ ନାହାକ, ନିକୁ ପ୍ରଧାନ ଓ ସଂଜୟ ନାୟକଙ୍କୁ କୃତି ପ୍ରତିଯୋଗୀ ଭାବେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ସମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୌର ଯନ୍ତ୍ରୀ ପ୍ରମୋଦ ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ଦାଶ, ଦିଲ୍ଲିପ ମିଶ୍ର, ଅଭିଜିତ ପୁରୋହିତ, ଛବି ପଣ୍ଡା, କିଶାନ କୁମାର ପାତ୍ର, ମୋହନ ଆଚାରୀ, ବିବେକାନନ୍ଦ ମହାପାତ୍ରଙ୍କ ସମେତ ପୌର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।