ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗ୍ରାମାଞ୍ଚଳ ର ବିକାଶ ସଶକ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ନିର୍ଭରଶୀଳ । ସେଥିପାଇଁ କ୍ଷମତାର ବିକେନ୍ଦ୍ରୀକରଣ ସହିତ ନିର୍ବାଚିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆଥିକ ଅନୁଦାନ ଯୋଗାଇ ଦେଇ ସଶକ୍ତ କରିବାକୁ ସରକାର ୭୩ ଓ ୭୪ତମ ସମ୍ବିଧାନ ସଂଶୋଧନ ଅନୁଯାଇ ରାଜ୍ୟ ଅର୍ଥ ଆୟୋଗ ଗଠନ କରିଥିଲେ । ସେହି ଆୟୋଗ ପ୍ରତି ୫ବର୍ଷରେ ପୁନର୍ଗଠିତ ହୋଇ ଆସିବା ସହ ସମ୍ପ୍ରତି ୫ମ ରାଜ୍ୟ ଅର୍ଥ ଆୟୋଗ ଏଥିପାଇଁ କାର୍ଯ୍ୟ କରୁଛି । ସେହିପରି ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୧୦ମ କେନ୍ଦ୍ର ଅର୍ଥ ଆୟୋଗ ଠାରୁ ସାମ୍ପ୍ରତିକ୧୫ତମ କେନ୍ଦ୍ର ଅର୍ଥ ଆୟୋଗ ତ୍ରି ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନକୁ ଅର୍ଥଯୋଗାଇ ଦେଉଛନ୍ତି । ଯାହା ତ୍ରିସ୍ତରୀୟ ବ୍ୟବସ୍ଥା ରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ପ୍ରସ୍ତାବ ଓ ଅନୁମୋଦନ ଅନୁଯାୟୀ ବିନିଯୋଗ ହେବାକଥା । କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ପୃକ୍ତ ପ୍ରଶାସନିକ ପଦାଧିକାରୀ ଜିଲ୍ଲାର କେଉଁ ଅଦୃଶ୍ୟ ଶକ୍ତିଙ୍କୁ ସନ୍ତୁଷ୍ଠ କରି ସେମାନଙ୍କ ଗୁଡ଼୍ ବୁକ୍‌ରେ ରହିବା ପାଇଁ ସବୁ ବିଧି ବ୍ୟବସ୍ଥାକୁ ଦଳି ମକଚି ଦେଇ କାହାର ଗୁପ୍ତ ଚିଠାରେ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଇବା ସହ ଏହାକୁ ଅନୁମୋଦନ କରାଇ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିଦେଇଛନ୍ତି । ଜିଲ୍ଲା ପ୍ରଶାସନ ଉଭୟ କେନ୍ଦ୍ର ଓ ରାଜ୍ୟ ଅର୍ଥ ଆୟୋଗଙ୍କ ଅନୁଦାନକୁ ଏଭଳି ବେଆଇନ ଭାବେ ବିନିଯୋଗ କରାଇବା ସହ ପଞ୍ଚାୟତିରାଜ ବ୍ୟବସ୍ଥାକୁ ପ୍ରହସନରେ ପରିଣତ କରିଥିବାବେଳେ ବିପୁଳ ଅର୍ଥ ଖର୍ଚ୍ଚ କରି ପ୍ରତି ୫ବର୍ଷରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଇବାର କ’ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ ଉଠିଛି । ଗ୍ରାମାଞ୍ଚଳ ର ବିକାଶକୁ ତ୍ୱରାନ୍ୱତ କରିବା ପାଇଁ ୧୫ତମ କେନ୍ଦ୍ର ଅର୍ଥ ଆୟୋଗ ନିର୍ବାଚିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନକୁ ୨୦୨୧-୨୨ଆଥିକ ବର୍ଷରୁ ୨୦୨୫-୨୬ ଆର୍ଥୀକ ବର୍ଷ ଯାଏ ଆଥିକ ଅନୁଦାନର ବ୍ୟବସ୍ଥା କରିଛନ୍ତି । ଟାଏଡ଼ ଓ ଅନଟାଏଡ଼ ଫଣ୍ଡ ସହିତ ହେଲ୍‌ଥ ଗ୍ରାଣ୍ଟ ଏବଂ ଗ୍ରାଣ୍ଟ -ଇନ୍‌-ଏଡ଼ ଆକାରରେ ବର୍ଷୱାରୀ କେନ୍ଦ୍ର ସରକାର ଏହି ଅର୍ଥ ଯୋଗାଇ ଦେଉଛନ୍ତି । ସେହିପରି ୫ମ ରାଜ୍ୟ ଅର୍ଥ ଆୟୋଗ ଅନୁରୂପ ଭାବେ ୫ବର୍ଷ ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ଡ଼ିଭୋଲେସନ ଫଣ୍ଡ ଆକାରରେ ଅର୍ଥ ଯୋଗାଇ ଦେବାକୁ ସୁପାରିଶ କରିଛନ୍ତି । ଏଥିସହିତ କେବଳ ଜିଲ୍ଲା ପରିଷଦ ଗୁଡ଼ିକୁ ଅତିରିକ୍ତ ଭାବେ ମୋଟର ଭେହିକିଲ ଟ୍ୟାକ୍ସ ଫଣ୍ଡ ବାବଦରେ ଅର୍ଥ ପ୍ରଦାନର ବ୍ୟବସ୍ଥା କରାଯାଇଛି । କିନ୍ତୁ ଦୁଃଖର କଥା କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପ୍ରଥମେ ଜିଲ୍ଲା ପରିଷଦକୁ ଉପେକ୍ଷା କରି ୩ବର୍ଷର ମୋଟର ଭେହିକିଲ ଟ୍ୟାକ୍ସ ଫଣ୍ଡ ବିନିଯୋଗ ପାଇଁ କେଉଁ ଅଦୃଶ୍ୟ ଶକ୍ତି ଦ୍ୱାରା ପ୍ରଭାବିତ ହୋଇ ପ୍ରକଳ୍ପ ଚୟନ ଓ ଅନୁମୋଦନ କରାଇଦେଇଥିଲେ । ଏହାପରେ ଗ୍ରାଣ୍ଟ-ଇନ୍‌-ଏଡ଼ କୁ ଅନୁରୂପ ଭାବେ ବିନିଯୋଗ ପାଇଁ ପ୍ରଶାସନ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅନ୍ଧାରରେ ରଖି ପଦକ୍ଷେପ ନେଇଥିଲେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଜିଲ୍ଲାର ୧୦ଜଣ ଜିଲ୍ଲା ପରିଷଦ ସଦସ୍ୟ ଏହାର ପ୍ରତିବାଦ କରିବା ସହ ପଞ୍ଚାୟତିରାଜ ବ୍ୟବସ୍ଥାର ମର୍ଯ୍ୟାଦା ଦାବିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ । ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସେମାନଙ୍କ ସହିତ ଆଲୋଚନା କରି ପ୍ରଥମେ ଅସହାୟତା ପ୍ରକାଶ କରିଥିଲେ ମଧ୍ୟ ପରେ ଏଥିନେଇ ପରିବର୍ତ୍ତିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହାର କୌଣସି ସୁଫଳ ନମିଳିବାରୁ ପରବର୍ତ୍ତି ଜିଲ୍ଲାପରିଷଦ ବୈଠକରେ ସମସ୍ତ ସଭ୍ୟ ଏଥିନେଇ ହାଙ୍ଗାମା କରିବାରୁ ପ୍ରଶାସନିକ ଅଧିକାରୀ ତ୍ରୁଟିକୁ ସ୍ୱୀକାର କରିବା ସହ ପ୍ରକଳ୍ପମାନ ଅନୁମୋଦନ ହୋଇ ସାରିଥିବାରୁ ସେହି ସବୁ ପ୍ରକଳ୍ପକୁ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟଙ୍କ ପରାମର୍ଶ କ୍ରମେ କାର୍ଯ୍ୟକାରୀ କରାଇବାକୁ ବିଡ଼ିଓ ମାନଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ପୁଣି ସେହି ବେଆଇନ କାର୍ଯ୍ୟର ପୁନରାବୃର୍ତ୍ତି କରି ୧୫ତମ କେନ୍ଦ୍ର ଅର୍ଥ ଆୟୋଗଙ୍କ ହେଲ୍‌ଥ ଗ୍ରାଣ୍ଟ ରେ ମନମୁଖୀ ଭାବେ ପ୍ରକଳ୍ପ ଚୟନ କରିବା ସହ ଏହାକୁ ଅନୁମୋଦନ କରାଇବାକୁ ପଦକ୍ଷେପ ନେଇଛି । କେବଳ ଭାଷଣକୁ ଛାଡ଼ିଦେଲେ ପ୍ରକୃତପକ୍ଷେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ଗୁରୂତ୍ୱ ଦେଉନଥିବା ସାଂପ୍ରତିକ ରାଜ୍ୟ ସରକାର କାହାକୁ ସନ୍ତୁଷ୍ଟ କରିବା ପାଇଁ କେଜାଣି କାହିଁକି ଜିଲ୍ଲା ପରିଷଦକୁ ମଞ୍ଜୁର ଉକ୍ତ କେନ୍ଦ୍ରୀୟ ଅନୁଦାନକୁ ବିନିଯୋଗ ପାଇଁ ନିଜର ସ୍ୱତନ୍ତ୍ର ଗାଇଡ଼୍ ଲାଇନ୍ ପ୍ରସ୍ତୁତ କରି ପାଣି ଗୋଳିଆ କରିବା ସହ ପ୍ରଶାସନକୁ ଏହି ବେଆଇନ୍ କାର୍ଯ୍ୟ କରିବାକୁ ମଦତ୍ ଯୋଗାଇ ଦେଇଥିବା କୁହାଯାଇଛି । ନିର୍ବାଚିତ ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନ ଥିବା ସତ୍ତ୍ୱେ ଏହାକୁ ଉପେକ୍ଷା କରି ସରକାରୀ ଅର୍ଥ ବିନିଯୋଗ ପାଇଁ ଉଭୟ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ବ୍ୟାକୁଳତା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ରହସ୍ୟାବୃତ ହୋଇପଡ଼ିଛି । ସବୁଠାରୁ ଉଦ୍‌ବେଗର କଥା ଯେ , ଏହି ହେଲ୍‌ଥ ଗ୍ରାଣ୍ଟ ବିନିଯୋଗ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୮ସଦସ୍ୟ ବିଶିଷ୍ଟ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ଏଠାରେ ନା’ କୌଣସି କମିଟି ଗଠନ ହୋଇଛି ନା’ କମିଟିର କୌଣସି ଅନୁମୋଦନ ନିଆଯାଇଛି ! ଏହାଦ୍ୱାରା କେବଳ ଯେ ବର୍ତ୍ତମାନର ଜିଲ୍ଲା ପରିଷଦକୁ ଉପେକ୍ଷା କରାଯାଇଛି ତାହା ନୁହେଁ, ଯେଉଁ ଭଳି ୫ବର୍ଷ ପାଇଁ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯାଇ ଅନୁମୋଦନ ନିମନ୍ତେ ପଦକ୍ଷେପ ନିଆଯାଇଛି ସେଥିରେ ଆଉ କିଛି ଦିନ ପରେ ଆଗାମୀ ୫ବର୍ଷ ପାଇଁ ନିର୍ବାଚିତ ହେବାକୁ ଥିବା ଜିଲ୍ଲା ପରିଷଦର ମଧ୍ୟ ଅଧିକାରକୁ ଆଗୁଆ କ୍ଷୁର୍ଣ୍ଣ କରାଯାଉଛି ବୋଲି ଅଭିଯୋଗ ହୋଇଛି । ତେବେ ଏଥି ନେଇ ପ୍ରଶାସନିକ ଅଧିକାରୀଙ୍କ କୈାଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ