ଗତ ୧୫ଦିନ ମଧ୍ୟରେ ବିଭିନ୍ନ ବର୍ଷା ଯୋଗୁଁ ଚାଷୀକୂଳ ଚିନ୍ତାରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗତ ୩ସପ୍ତାହ ମଧ୍ୟରେ ଲଘୁଚାପ ଜନିତ ବର୍ଷା ବାତ୍ୟା ଆଦି ଯୋଗୁଁ ଗଜପତି ଜିଲ୍ଲାର ବିଭିନ୍ନ ଧାନ କ୍ଷେତରେ ଅମଳ ଧାନ ବର୍ଷା ପାଣିରେ ଭିଜି ରହିଛି । ଏ ନେଇ ଚାଷୀକୂଳ ଚିନ୍ତାରେ ପଡିଯାଇଛନ୍ତି । ବିଶେଷ କରି ପାହାଡିଆ ତଥା ମୋହନା ବ୍ଲକର ବିଭିନ୍ନ ଗ୍ରାମରେ ଚାଷୀ ବିଲରେ ଧାନ ଅମଳରେ ଥିବା ବେଳେ ବାତ୍ୟାର ପ୍ରକୋପରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରକୋପର ମାତ୍ରା କମ୍ ଥିଲେ ମଧ୍ୟ ଝିପିଝିପି ବର୍ଷା ଚାଷୀକୂଳର ଚିନ୍ତା ବଢାଇ ଦେଇଛି । ଯାହା ଫଳରେ ଚାଷୀ ଛାନିଆ । ଏବେ ବିଲରୁ ଅର୍ଧପାଚିଲା ଧାନ ଗଛ ଗୁଡିକୁ ମଧ୍ୟ କାଟି ନେଉଛନ୍ତି ଚାଷୀ । ବର୍ଷାର ମାତ୍ରା ପ୍ରବଳ ହେଲେ କାଳେ ଧାନ ବିଲରେ ପାଣି ଜମିଯିବ ଓ ପାଚିଲା ଧାନର ଅମଳ ନଷ୍ଟ ହୋଇଯିବ ଏହି ଆଶଙ୍କାରେ ଚାଷୀ କୂଳ ବ୍ୟାକୁଳ ହୋଇ ଧାନ ସବୁ କାଟି ଖଳାକୁ ନେବାକୁ ପ୍ରସ୍ତୁତି କରିଦେଲେଣି । ବ୍ଲକର ଖ୍ରୀଷ୍ଠପୁର, ନଳାଘାଟ, ଝିଲିକି, ମାଣ୍ଡିମେରା ଆଦି ପ୍ରଭୂୃତି ଅଞ୍ଚଳରେ ଚାଷୀ ଅନ୍ତତଃ ଘରେ ଧାନ ସବୁ ସୁବିଧାରେ ସାଇତି ରଖିଲେ ଅନ୍ତତଃ କିଛିଟା ବଞ୍ଚିଯିବ ଏହି ଆଶାରେ ଚେଷ୍ଟା କରୁଥିବାର ଲକ୍ଷ୍ୟ କରାଯାଉଛି । ଅନ୍ୟପକ୍ଷରେ ଏମାନଙ୍କ ଠାରେ ଧାନକୁ ସୁରକ୍ଷାରେ ରଖିବାପାଇଁ କୌଣସି ଦରି କିମ୍ବା ପ୍ଲାଷ୍ଟିକ ପାଲ ନଥିବାରୁ ନିଜ ନିଜ ଉଦ୍ଦ୍ୟମରେ ଚେଷ୍ଟା କରୁଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିବା ଫଳରେ ଧାନ ଚାଷ ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା ।


