ରାଜ୍ୟକୁ ପୁଣି ଫେରିବ କି ଲକ୍ ଡ଼ାଉନ୍ ଓ ସଟ୍ ଡାଉନ୍ ?
ବୁଗୁଡ଼ା, (ଅନିଲ କୁମାର ମହାରଣା) : ବିଶ୍ୱରୁ କରନା ଭୟ ଦୂର ହୋଇନାହିଁ । ଆମ ଦେଶରେ କୋଭିଡ ସଂକ୍ରମଣ କମିଥିଲେ ମଧ୍ୟ ସମ୍ପୂର୍ଣ କୋଭିଡ ମୁକ୍ତ ହୋଇପାରିନାହିଁ । ଏହିସମୟରେ କରୋନାର ଓମିକ୍ରୋନ ( Omicron) ଭ୍ୟାରିଆଣ୍ଟ ବିଶ୍ୱର ୩୮ ଦେଶରେ କାୟା ବିସ୍ତାର କରିବାକୁ ଆରମ୍ଭ କଲାଣି । ଆମ ଭାରତରେ ମଧ୍ୟ ଏହି ଓମିକ୍ରୋନ ଭ୍ୟାରିଆଣ୍ଟ ଚିନ୍ତାର କାରଣ ପାଲଟିଛି । ରବିବାର ରିପୋର୍ଟ ପ୍ରକାରେ ଆମ ଦେଶର ଦିଲ୍ଲୀ, କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ରରେ ରାଜ୍ୟରେ ଦୃତ ଗତିରେ ବ୍ୟାପୁଥିବା କରୋନାର ଓମିକ୍ରୋନ ଭ୍ୟାରିଆଣ୍ଟ ଚାରି ଜଣଙ୍କ ନିକଟରେ ଚିହ୍ନଟ ହୋଇଥିଲା । ଡିସେମ୍ବର ୦୬ ତାରିଖ ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ପ୍ରକାରେ ଓମିକ୍ରୋନ ସଂକ୍ରମଣ ସଂଖ୍ୟା ୨୧ ରେ ପହଁଞ୍ଚିଛି । ନୂତନ ଭାବେ ଦିଲ୍ଲୀ, ମହାରାଷ୍ଟ୍ର ଓ ରାଜସ୍ଥାନ ରାଜ୍ୟର ୧୭ ଜଣଙ୍କ ନିକଟରେ ଏହି ଓମିକ୍ରୋନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ରବିବାର ଦିନ ୪ ଜଣଙ୍କ ନିକଟରେ ଓମିକ୍ରୋନ ଭ୍ୟାରିଆଣ୍ଟ ଥିବାବେଳେ ସୋମବାର ଦିନ ନୂତନ ୧୭ ଜଣ ଚିହ୍ନଟ ହୋଇ ୨୧ ସଂଖ୍ୟାରେ ପହଁଞ୍ଚି ପାରିଛି । କରୋନାର ତୃତୀୟ ଲହର ପାଇଁ ଏହା ସତର୍କ ଘଣ୍ଟି । ସମସ୍ତଙ୍କ ନିଶ୍ଚିତ ମନେଥିବା ଯେ କରୋନା ପ୍ରଥମ ଲହର ସମୟରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ଶୂନ୍ୟ ଥିବା ବେଳେ ଗଞ୍ଜାମକୁ ବାହାର ରାଜ୍ୟରୁ ଆମର ଶ୍ରମିକ ଭାଇମାନେ ଫେରିବା ପରେ କରୋନା ସଂକ୍ରମଣ ବୃଦ୍ଧିପାଇ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଥିଲା । ବର୍ତ୍ତମାନ କୋଭିଡ ସଂକ୍ରମଣ ଅତି ନଗଣ୍ୟ ଥିଲେ ମଧ୍ୟ ଭିବିଷ୍ୟତରେ ଚିନ୍ତାର କାରଣ ହୋଇପାରେ । ଦୃତ ସଂକ୍ରମଣ ହେଉଥିବା କରୋନା ଓମିକ୍ରୋନ ଭ୍ୟାରିଆଣ୍ଟ ଚିହ୍ନଟ ରାଜ୍ୟ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ରେ ଲକ୍ଷ ଲକ୍ଷ ସଂଖ୍ୟକ ଓଡ଼ିଆ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି । ଆଗକୁ ଧାନ ଫସଲ ଅମଳ ଓ ବିବାହ ଉତ୍ସବ ଥିବା ଯୋଗୁଁ ଏହି ସବୁ ରାଜ୍ୟରୁ ବହୁ ସଂଖ୍ୟକ ଓଡ଼ିଆ ଭାଇମାନେ ଫେରିବାର ସମ୍ଭାବନା ଯଥେଷ୍ଟ ଥିବା ବେଳେ ଏଥିପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ସମସ୍ତ ଜନସାଧାରଣ ସଜାଗ ରହିବା ନିହାତି ଜରୁରୀ ଆବଶ୍ୟକ ହୋଇଛି । ଲକ ଡାଉନ ଓ ସଟ ଡାଉନ ପୁଣି ଆମ ରାଜ୍ୟ ରେ ଲାଗୁ ନକରାଇବା ପାଇଁ କୋଭିଡ ନିୟମକୁ ସମସ୍ତ ଜନସାଧାରଣ ସମ୍ମାନ ଜଣାଇ ଆନ୍ତରିକ ଉଦ୍ୟମ କରିବାର ସମୟ ଆସିଛି ।


