ଅଖିଳ ଭାରତ କୃଷକ ସଭା ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ପାଇଁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଚଳିତ ଡିସେମ୍ବରମାସରେ ଅସ୍ୱାଭାବିକ ଭାବରେ ବାତ୍ୟା ଜୱାଦର ପ୍ରଭାବରେ ପ୍ରବଳ ବର୍ଷା ହେବା ଫଳରେ ଏହି ଜିଲ୍ଲାରେ ବ୍ୟାପକ ଫସଲ ହାନୀ ଘଟିଛି । ଚାଷ କ୍ଷେତରେ ଅମଳ ପାଇଁ ଥିବା ପାଚିଲା ଧାନ ବାତ୍ୟା ପବନରେ ତଳେ ଶୋଇଯାଇଛି । ଫଳରେ ସେହି ଶୋଇଥିବା ଧାନ ଆଣ୍ଠୁଏଁ ଉଚ୍ଚର ବର୍ଷା ପାଣିରେ ବୁଡି ରହିଛି । ଚାଷୀଙ୍କର ବର୍ଷକର ସମ୍ବଳ ସେହି କ୍ଷେତରେ ପଚି ନଷ୍ଟ ହୋଇଯିବା ଅବସ୍ଥାକୁ ଆସିଯାଇଛି । ସେହିପରି ଜିଲ୍ଲାରେ ପରିବା ଚାଷୀଙ୍କ ଅବସ୍ଥା ମଧ୍ୟ ଏକାପରି ହୋଇଛି । ପନି ପରିବା ଗଛ ଗୁଡିକ ବର୍ଷା ଜଳରେ ବୁଡି ରହିଥିବାରୁ ପରିବା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଚାଷୀର ବର୍ଷକର ଫସଲ ଆହାର ପାଣିରେ ବୁଡି ଯାଇଥିବା ବେଳେ ଚାଷ ପାଇଁ ବ୍ୟାଙ୍କ ଏବଂ ବିଭିନ୍ନ ଘରୋଇ ସଂସ୍ଥାରୁ ଆଣିଥିବା ଋଣ ଚାଷି କିପରି ଶୁଝିବ ବୋଲି ପ୍ରଶ୍ନ କରିଛି କୃଷକ ସଭାଚକେନ୍ଦ୍ରାପଡା ଜିଲ୍ଲାର ଚାଷୀଙ୍କ ଏଭଳି ଦୁର୍ଦ୍ଦିନ ସମୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ କୃଷକ ସଭା ଦାବି କରିଛି । ସପ୍ତାହକ ମଧ୍ୟରେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହଯୋଗରେ ଫସଲ କ୍ଷୟକ୍ଷତିର ସଠିକ ଆକଳନ କରାଯିବା, ଚଳିତ ବର୍ଷ ପାଇଁ ସମସ୍ତ ପ୍ରକାର କୃଷି ଋଣ ସୁଧ ସହ ଛାଡ କରାଯିବା, ବୀମା କମ୍ପାନୀମାନଙ୍କ ଠାରୁ କୃଷକମାନଙ୍କ ବୀମାଭୁକ୍ତ ଫସଲର କ୍ଷତି ପୁରଣ ପ୍ରଶାସନର ତତ୍ୱାବଧାନରେ ତୁରନ୍ତ ପ୍ରଦାନ କରାଯିବା,ଆଗାମୀ ରବି ଫସଲ ଓ ପରିବା ଚାଷ ପାଇଁ ସମସ୍ତ ପ୍ରକାର ସାର, ବିହନ ଓ କୀଟନାଶକ ଚାଷୀଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯିବା, ଆଗାମୀ ଫସଲ ପାଇଁ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଋଣ ବିନା ସୁଧରେ ଯୋଗାଇ ଦିଆଯିବା ଓ ମଣ୍ଡିରେ ଧାନ ସଂଗ୍ରହ ବେଳେ ଧାନର ଗୁଣାବତ୍ତା ନିର୍ଦ୍ଧାରଣ ପ୍ରତି କୋହଳ ନୀତି ଅବଲମ୍ବନ କରାଯିବାକୁ ଅଖିଳ ଭାରତ କୃଷକ ସଭା ଜିଲ୍ଲା କମିଟି ଦାବି କରିଛି । ଦାବିପତ୍ର ପ୍ରଦାନ ସମୟରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ଶ୍ରମିକ ନେତା ବାବାଜୀ ଧଳ, ବିକାଶ ଚନ୍ଦ୍ର ବେଉରା, ସୀତାକାନ୍ତ ନାୟକ, ସୁରେଶ ଚନ୍ଦ୍ର ଭୋଳ, ନିରଞ୍ଜନ ଦାଶ, କୁବେର ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ମଳିକ, ବିପଦ ଭଞ୍ଜନ ମଳିକ, ସୁହାନା ବେଗମ, ଦାମୋଦର ମଳିକ, ହରେକୃଷ୍ଣ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ