ମୋନା’ର କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ‘ମୋନା’ର ମାସିକିଆ କାର୍ଯ୍ୟକାରିଣୀ ବୈଠକ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଦିବଂଗତ ତିନିବାହିନୀର ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୧୩ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ମୋନାର ସାଧାରଣ ସମ୍ପାଦିକା ମମତା ମହାପାତ୍ର ପୂର୍ବ ବିବରଣୀ ପାଠ ସହ ‘ନୀତିନିଷ୍ଠ ନବକୃଷ୍ଣ’ ପୁସ୍ତକର ବହୁଳ ପ୍ରସାର ପାଇଁ ପଦକ୍ଷେପ ନେବା ଉପରେ ଆଲୋଚନା କରିଥିଲେ । ନିଶା ପ୍ରବଣ କେତେକ ଅଞ୍ଚଳରେ ସଚେତନତା ପଦଯାତ୍ରା ଆୟୋଜନ ପାଇଁ ପଦକ୍ଷେପ ନେବା ସମ୍ପର୍କରେ ଏହି ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ପୂର୍ବପରି ନିଶା ବିରୋଧରେ ସ୍କୁଲମାନଙ୍କରେ ସଚେତନତା ଶିବିର ଆରମ୍ଭ କରିବା ସହ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଆଧାରିତ ପୁସ୍ତକ ନୀତିନିଷ୍ଟ ନବକୃଷ୍ଣ ପୁସ୍ତକ ସ୍କୁଲମାନଙ୍କ ପାଠାଗାରରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦାୟିତ୍ୱ ଉପଦେଷ୍ଟା ସୁବ୍ରତ କରଙ୍କୁ ଦିଆଯାଇଥିଲା । । ‘ଏଥି ସହିତ ମୋନା’ର ବ୍ଲକ କମିଟି ଦ୍ୱାରା ଜଳେଶ୍ୱର ତହସିଲ ସମ୍ମୁଖରେ ନିଶା ବିରୋଧରେ ନିଆଯାଇଥିôବା ଦୃଢ଼ ପଦକ୍ଷେପକୁ ସ୍ୱାଗତ କରାଯିବା ସଂଗେ ସଂଗେ କମିଟିକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ. କେଶବ ଚରଣ ପଣ୍ଡା, ଶଶାଙ୍କ ଶେଖର ଦତ୍ତ, କମଳକାନ୍ତ ଦାଶ, ସ୍ମୃତି ଦାସ, ପ୍ରସନ୍ନ କୁମାର ପାଢ଼ୀ, ଯୋଗେଶ ଚନ୍ଦ୍ର ପ୍ରଧାନ, ସୀତାରାମ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ସନାତନ ଦାସ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କମଳାକାନ୍ତ ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


