ଚିକିତ୍ସା ନିମନ୍ତେ ସୋମବାର ଲଣ୍ଡନ ଯିବେ ନୱାଜ୍ ଶରିଫ୍
ଇସଲମାବାଦ୍: ଅସୁସ୍ଥ ଥିବା, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍ ଉନ୍ନତ ଚିକିତ୍ସା କରାଇବାକୁ ସୋମବାର ଦିନ ଲଣ୍ଡନ୍ ଯିବେ । ଶରିଫ୍ଙ୍କ ଗସ୍ତ ସଂକ୍ରାନ୍ତ ବିବରଣୀରୁ ଜଣାପଡ଼ିଛି ଯେ ଏଥି ନିମନ୍ତେ ତାଙ୍କ ବିମାନ ଟିକେଟ୍ କନଫର୍ମ ହୋଇ ସାରିଛି । ନଭେମ୍ବର ୧୧ ତାରିଖ, ସୋମବାର ସକାଳେ ନୱାଜ୍ ବିମାନ ଯୋଗେ ଲଣ୍ଡନ ଯାତ୍ରା କରିବେ । ସେଠାରୁ ସେ ନଭେମ୍ବର ୨୭ ତାରିଖରେ ଫେରିବେ ବୋଲି ଟିକେଟ୍ କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ନଇମ୍ ଉଲ୍ ହକ୍ ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ଶରିଫ୍ଙ୍କ ରିପୋର୍ଟ ଦେଖି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିମନ୍ତେ ଏ ଭଳି ନିଷ୍ପତ୍ତି ନେଇଛନ୍ତି । ତାଙ୍କ ଡାକ୍ତରୀ ଚିକିତ୍ସା ଲାଗି କେତେ ସମୟ ଦିଆଯିବ ତାହା ଅଦାଲତ ସ୍ଥିର କରିବେ ବୋଲି ନଇମ୍ କହିଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କ ସହ ପାକିସ୍ତାନ ମୁସ୍ଲିମ ଲିଗ୍-ନୱାଜର ଅଧ୍ୟକ୍ଷ ଥିବା ତାଙ୍କ ସାନଭାଇ ଶେହବାଜ୍ ଶରିଫ୍ ଯିବାର ସମ୍ଭାବନା ରହିଛି ।


