ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଦଳର ପ୍ରତ୍ୟାବର୍ତ୍ତନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସାମୁଦ୍ରିକ ବାତ୍ୟା ‘ଜୱାଦ’ ପ୍ରଭାବରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡା ଜିଲ୍ଲାର ୪ଟି ତହସିଲ ଅନ୍ତର୍ଗତ ଗ୍ରାମ ଗୁଡିକୁ କେନ୍ଦ୍ରୀୟ ଦଳ ଗସ୍ତ କରିଥିଲେ ଓ ସୋମବାର ସକାଳ ସାଢେ ୮ଟା ସମୟରେ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରାପଡାରୁ ଯାଜପୁର ଗସ୍ତରେ ଗଲେ । ୪ଜଣିଆ କେନ୍ଦ୍ରୀୟ ଦଳରେ କେନ୍ଦ୍ର ସ୍ତରୀୟ ଦୁଇ ଅଧିକାରୀ ବରିଷ୍ଠ କାର୍ଯ୍ୟନିର୍ବାହୀ ତଥା ରାଷ୍ଟ୍ରୀୟ ମଧୁରଜଳ ବ୍ରୋଡ ବ୍ୟାଙ୍କର ଭାରପ୍ରାପ୍ତ ଅଧିକାରୀ ଡଃ. ମାନସ କୁମାର ସିହ୍ନା ଓ ସଡକ ପରିବହନ ମନ୍ତ୍ରଣାଳୟର ସହକାରୀ ଯନ୍ତ୍ରୀ ଇଂ ଶାଶ୍ୱତ କୁମାର ମହାପାତ୍ର ଏବଂ ରାଜ୍ୟ ସ୍ତରୀୟ ଅଧିକାରୀ ଭାବେ ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦେଶକ ହେମନ୍ତ କୁମାର ପଣ୍ଡା ଓ କୃଷି ବିଭାଗ ଯୁଗ୍ମ ନିର୍ଦେଶକ ବ୍ରଜ କିଶୋର ଲେଙ୍କା ଜିଲ୍ଲା ଗସ୍ତରେ ଆସି ଫେରି ଯାଇଛନ୍ତି । କେନ୍ଦ୍ରାପଡା ପ୍ରଦକ୍ଷଣ ଭବନରେ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଦୁର୍ଗା ପ୍ରସାଦ ମହାରଣାଙ୍କ ସହ ଆଲୋଚନା ସମୟରେ କେନ୍ଦ୍ରାପଡା ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି କେନ୍ଦ୍ରୀୟ ଦଳ ମତପ୍ରକାଶ କରିଥିଲେ ।


