କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ୪୮ ପ୍ରକଳ୍ପର ଉଦ୍ଘାଟନ ସହ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓକନଫରେନ୍ସିଂ ଯୋଗେ ବୁଧବାର ସକାଳେ କେନ୍ଦ୍ରାପଡା ଜିଲ୍ଲାର ୪୮ଟି ପ୍ରକଳ୍ପର ଉଦଘାଟନ, ୧୦୪ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହି ଉପଲକ୍ଷେ କେନ୍ଦ୍ରାପଡା ପୈାର ଟାଉନ ହଲ୍ରେ ପୂର୍ବାହ୍ଣ ୧୧ଟା ୩୦ମିନିଟ୍ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଏକ ଭିଡିଓ ଚଳଚିତ୍ର ପ୍ରଦର୍ଶିତ ହେବ । ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଭାସି ମାଧ୍ୟମରେ ହିତାଧିକାରୀମାନଙ୍କୁ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୮୫୪୬.୯୧ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହୋଇଥିବା ୪୮ଟି ପ୍ରକଳ୍ପକୁ ଆଭାସିରେ ଉଦ୍ଘାଟନ କରିବେ ଓ ୧୩୪୦୨୫.୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୧୦୪ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଉଦଘାଟିତ ହେବାକୁ ଥିବା ୪୮ଟି ପ୍ରକଳ୍ପ ହେଉଛି ଜଳସେଚନ ବିଭାଗର ୪ଟିପ୍ରକଳ୍ପ, ପୂର୍ତ୍ତ ବିଭାଗର ୮ଟି ପ୍ରକଳ୍ପ , ସ୍ୱାସ୍ଥ୍ୟ ବିଭାଗର ୧୦ଟି, ଶକ୍ତି ବିଭାଗର ୮ଟି, ନିୟନ୍ତ୍ରୀତ ବଜାର କମିଟିର ୩ଟି, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ୧୪ଟି ଓ ଗୋବରୀ ନଦୀ ଉପରେ ଆଳିଜଙ୍ଗା ପାଖରେ ନିର୍ମିତ ହୋଇଥିବା ଏକ ବିଜୁସେତୁ । ଉଦ୍ଘାଟନ ଏବଂ ଶିଳାନ୍ୟାସ ପ୍ରକଳ୍ପ ଗୁଡିକରେ ସମୁଦାୟ ୧୫୨୫୭୨.୬୩ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି । ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଜିଲ୍ଲାର ବିକାଶ ଓ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ସମ୍ପର୍କରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।