ରାଷ୍ଟ୍ରୀୟ କଳାମଞ୍ଚ ପକ୍ଷରୁ ପ୍ରତିଭା ସଙ୍ଗମ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଘୁମୁସର ଜିଲ୍ଲା ପକ୍ଷରୁ ଆଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଭଂଜନଗରଠାରେ ଜିଲ୍ଲା ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏବିଭିପିର ରାଷ୍ଟ୍ରୀୟ କଳା ମଞ୍ଚ ଆୟାମ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଲୁକ୍କାୟିତ ପ୍ରତିଭା ମାନଙ୍କୁ ଆଗକୁ ବଢ଼ାଇବା ପାଇଁ ତଥା ତାଙ୍କର ପ୍ରତିଭାର ବିକାଶ ନିମନ୍ତେ ରାଷ୍ଟ୍ରୀୟ କଳା ମଞ୍ଚ ତରଫରୁ ଏହା ଗୋଟିଏ ଅନନ୍ୟ ପ୍ରୟାସ। ସବୁ କଳାକାରମାନଙ୍କୁ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବା ନିମନ୍ତେ ଏହା ଏକ ଉତ୍କୃଷ୍ଟ ମାଧ୍ୟମ। ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇ ସଙ୍ଗୀତ, ଏକକ ନୃତ୍ୟ, ଦଳଗତ ନୃତ୍ୟ, ଏକକ ଅଭିନୟ, ନାଟକ, ରଙ୍ଗୋଲି, ଚିତ୍ରାଙ୍କନ ଓ ସ୍ୱରଚିତ କବିତା ଆବୃତ୍ତି ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏବିଭିପିର ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅଶ୍ଵିନୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡ଼ିପୁର ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବରାମ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଏବିଭିପିର ଗଞ୍ଜାମ ବିଭାଗ ସଂଗଠନ ସମ୍ପାଦକ ମିଲନ ମହାପାତ୍ର ଯୋଗ ଦେଇଥିଲେ। ଅତିଥିମାନଙ୍କୁ ଭଂଜନଗର ନଗର ସମ୍ପାଦକ ସାଇ ଆଦିତ୍ୟ ଜେନା ସମ୍ବର୍ଦ୍ଧନା କରିଥିଲେ। ପ୍ରତିଯୋଗିତାର ସମାପନ ପରେ ଉପସ୍ଥିତ ଅତିଥିବୃନ୍ଦ ତଥା ପ୍ରତିଯୋଗୀଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଶେଷରେ ଉଦଯାପନୀ ଓ ପୁରସ୍କାର ବିତରଣୀ ଉତ୍ସବରେ ଅତିଥିମାନେ ସମସ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନେ ଆସନ୍ତା ୧୭, ୧୮ ଓ ୧୯ ତାରିଖରେ ତିନି ଦିନଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ପ୍ରତିଭା ସଙ୍ଗମ ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏହା ସହ ରାଜ୍ୟ ସୋସିଆଲ ମିଡ଼ିଆ ସହ ସଂଯୋଜକ ପ୍ରତ୍ୟୁଷ ରଂଜନ ଦାଶ, ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରମୁଖ ରାହୁଲ ବେହେରା, ଭଞ୍ଜନଗର ନଗର ସହ ସମ୍ପାଦକ କାନ୍ହା ନାୟକ, ଦେବାଶିଷ ଭାଇ, ସୁନୀଲ ଭାଇ, ସାଗରିକା ଅପା, ଶିଳ୍ପା ଅପା, ପାୟଲ ଅପା, କଳ୍ପନା ଅପା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


