କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ବାଙ୍ଗଲାଦେଶ ମୁକ୍ତି ସଂଗ୍ରାମର ସେନାଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ଗର୍ବ ଗୈାରବ ତଥା ବାଙ୍ଗଲାଦେଶ ମୁକ୍ତି ସଂଗ୍ରାମର ଅନ୍ୟତମ ବୀର ସେନାନୀ, ରାଜକନିକା ବ୍ଲକ ଅନ୍ତର୍ଗତ ବରୁଣାଡିହା ଗ୍ରାମରେ ଜନ୍ମିତ ଦୁର୍ଯ୍ୟୋଧନ ମହାନ୍ତିଙ୍କୁ ବାଙ୍ଗଲାଦେଶ ମୁକ୍ତି ସଂଗ୍ରାମର ୫୦ତମ ପୂର୍ତ୍ତି ଉତ୍ସବ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଭାରିଗଦା ପଞ୍ଚାୟତସ୍ଥିତ ଅନ୍ଧାରଘରଣୀ ଠାକୁରାଣୀ ମଣ୍ଡପରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ସଭାପତିତ୍ୱ କରି ନିଜ ବକ୍ତବ୍ୟରେ ୧୯୭୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ, ଲୈାହମାନବୀ, ଭାରତରତ୍ନ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ସମୟୋପଯୋଗୀ ପଦକ୍ଷେପ ଓ ଜେନେରାଲ ମାନେକ୍ସାଙ୍କ ଯୁଦ୍ଧ ପରିଚାଳନାରେ ପାକିସ୍ଥାନ ସୈନ୍ୟ ହାର ମାନିବାକୁ ବାଧ୍ୟ ହୋଇଥିଲେ ଓ ସ୍ୱତନ୍ତ୍ର ବାଙ୍ଗଲାଦେଶ ଜନ୍ମ ନେଇଥିଲା ବୋଲି କହିଥିଲେ । ତତ୍କାଳୀନ ସମୟରେ ଆଳି, ରାଜକନିକାର ସୁଯୋଗ୍ୟ ସନ୍ତାନ ଶ୍ରୀ ମହାନ୍ତି ସେହି ଯୁଦ୍ଧରେ ସେନାନୀ ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଫ୍ରଫୁଲ୍ଲ କୁମାର ଦାସ, ବାବୁରାମ ଜେନା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ସୁବାଷ ଚନ୍ଦ୍ର ପରିଡା, ମୀର ମୁର୍ଶିଦ୍ଦ, ମଙ୍ଗୁଳି ଚରଣ ବେହେରା, ରବିନ୍ଦ୍ର ନାଥ ବେହେରା, ସମ୍ପାଦକ ଶରତ ରାଉତ, ମୁରଲୀଧର ବେହେରା, ବିଦ୍ୟାଧର ବରଜ, ଚିତ୍ତରଞ୍ଜନ ନାୟକ, ଦର୍ପନାରାୟଣ ସାହୁ, ସରପଞ୍ଚ ପ୍ରଦୀପ ମଲିକ, ସତ୍ୟବ୍ରତ ପରିଡା, ରାଜମୋହନ ସ୍ୱାଇଁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।


