ଠିପିଖୋଲା ବିଦେଶୀ ମଦ ଦୋକାନ ନ ଖୋଲିବାକୁ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲାର ବଢ଼ୁଥିବା ପଞ୍ଜୀକୃତ ମଦ ଦୋକାନକୁ ନେଇ ଏବେ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିବାକୁ ଲାଗିଛି । ବିଶେଷ କରି ପ୍ରତିବର୍ଷ ଖୋଲା ଯାଉଥିବା ନୂଆ ନୂଆ ଠିପିବନ୍ଦ ଓ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ସ୍ଥାନୀୟ ଅଞ୍ଚଳର ଲୋକେ ବିରୋଧ କରୁଛନ୍ତି । ଏମିତି ଅବସ୍ଥା ସୃଷ୍ଟି ହୋଇଛି ସଦର ବ୍ଲକ ଅନ୍ତର୍ଗତ ବସ୍ତା ଅଞ୍ଚଳରେ । ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ସତ୍ତ୍ୱେ ଜିଲା ଅବକାରୀ ବିଭାଗ ତଥା ପ୍ରଶାସନ ପକ୍ଷରୁ ପୂର୍ବରୁ ଏଠାରେ ଏକ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲାଯାଇଥିଲା । ବିଭାଗ ପକ୍ଷରୁ ଏବେ ପୁଣି ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଉପକ୍ରମ ହେଉଥିବା ଜାଣିବା ପରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ଗ୍ରାମବାସୀମାନେ ଏହାକୁ ବିରୋଧ କରିଛନ୍ତି । ବିଭିନ୍ନ କାରଣ ଦର୍ଶାଇ ସରପଞ୍ଚ ଜୟନ୍ତୀ ପ୍ରଧାନ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ଚିଠିକୁ ଗ୍ରାମର ବହୁ ଶତାଧିକ ମହିଳା ଓ ପୁରୁଷ ଜିଲା ଅବକାରୀ ଅଧୀକ୍ଷକଙ୍କୁ ପ୍ରଦାନ କରିଛନ୍ତି । ମଦଦୋକାନକୁ ବିରୋଧର କାରଣ ସମ୍ପର୍କରେ ସରପଞ୍ଚ ଚିଠିରେ ଉଲେଖ କରିଛନ୍ତି ଯେ, ପ୍ରଶାସନ ପକ୍ଷରୁ ଯେଉଁ ଜାଗାରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି, ତାହା ଜନବହୁଳ ଅଞ୍ଚଳ ଅଟେ । ଏଥି ସହିତ ଅନତି ଦୂରରେ ବିଦ୍ୟାଳୟ ଓ ଦେବାଦେବୀ ମନ୍ଦିର ମଧ୍ୟ ରହିଛି । ସେହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯାଇଥା’ନ୍ତି । ଏଠାରେ ଠିପି ଖୋଲା ଦୋକାନ ଆରମ୍ଭ ହେଲେ ଲୋକେ ବିନା ଦ୍ୱିଧାରେ ଏଠାରେ ଆସି ଖୁଲମଖୁଲା ମଦ ପିଇବା ସାଙ୍ଗକୁ ସ୍ଥାନୀୟ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଭଙ୍ଗ ହେବା ସାଙ୍ଗକୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି । ଅତଏବେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ପୂର୍ବରୁ ଖୋଲା ଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନକୁ ମଧ୍ୟ ବନ୍ଦ ପାଇଁ ସରପଞ୍ଚ ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି । ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏହି ଚିଠି ତଥା ଦାବିପତ୍ରକୁ ଗ୍ରାମବାସୀମାନେ ଜିଲା ଅବକାରୀ ଅଧୀକ୍ଷକଙ୍କୁ ପ୍ରଦାନ କରିଥିଲେ । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ହଳଦୀପଦାବାସୀ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।