କାର୍ଡ଼ ନଥିବା ମଧ୍ୟବିତ୍ତ କଣ ସାବତ ପୁଅ?
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାସନକାର୍ଡ଼ଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମିଳିବ କୋଭିଡ଼ ସହାତୟା । ଏଣିକି ପ୍ରତ୍ୟେକ ରାସନକାର୍ଡ଼ଧାରୀଙ୍କ ବ୍ୟାଙ୍କ ଆକାଣ୍ଟକୁ ସିଧାସଳଖ ଯିବ ହଜାରେ ଟଙ୍କା । ଏଥିପାଇଁ ୩୫୦କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ଏହି ସହାୟତା ରାଶି ଯୋଗାଇ ଦିଆଯିବ । କିନ୍ତୁ କୋଭିଡ଼ ସମୟରେ ନିଜର ଜୀବନ ଜୀବିକା ହରାଇଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକ ଯାହାର କି ରାସନ କାର୍ଡ଼ ନାହିଁ ସେମାନେ କଣ ସରକାରଙ୍କ ସାବତ ପୁଅ ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ । କୋଭିଡ଼ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ରାଜ୍ୟରେ ଲକ୍ଷ ଲକ୍ଷ ମଧ୍ୟବିତ୍ତ ଶ୍ରେଣୀର ଲୋକ ନିଜର ଜୀବିକା ହରାଇ ଏବେ ଦୁର୍ଦ୍ଦିନରେ ଜୀବନ କାଟୁଥିବା ବେଳେ ରାଜ୍ୟ ସରକାରଙ୍କ ପିଡ଼ିଏସ୍ ହିତାଧିକାରୀଙ୍କୁ ସହାୟତା ଘୋଷଣା ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ସରକାରଙ୍କର ଏକ ରାଜନୈତିକ ଓ ନିର୍ବାଚନ ଚାଲ୍ ବୋଲି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ସଭାପତି ପ୍ରଦୀପ ମିଶ୍ର ଅଭିଯୋଗ କରିଛନ୍ତି । କୋଭିଡ଼ ଦ୍ୱାରା ସବୁବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି । ସମସ୍ତେ ଆଇନ ମାନି ତାଲାବନ୍ଦରେ ରହିଛନ୍ତି । ସବୁଠାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନଙ୍କୁ ସରକାର କୌଣସି ସହାୟତା ନଦେବା ଦୁର୍ଭଗ୍ୟର ବିଷୟ । କୋଭିଡ଼ ପରେ ଜୀବିକା ହରାଇ ଅନେକ ମଧ୍ୟବିତ୍ତ ଶ୍ରେଣୀର ଲୋକ ଏବେ ଗରିବ ସୀମାରେଖା ତଳକୁ ଆସିଗଲେଣି । ବିଶେଷକରି ବିପିଏଲ୍ ତାଲିକାର ସଂଶୋଧନ ନହେବା ଦ୍ୱାରା ଅନେକ ମଧ୍ୟବିତ୍ତ ଶ୍ରେଣୀର ଲୋକ ରାସନ କାର୍ଡ଼ ପାଇବାରୁ ବଞ୍ôଚତ । କିନ୍ତୁ ସରକାର ସେମାନଙ୍କୁ କୌଣସି ସରକାରୀ ଯୋଜାନରେ ଅନ୍ତର୍ଭୁକ୍ତ କରୁନାହାଁନ୍ତି କି ସେମାନଙ୍କ ପାଇଁ କୌଣସି ସହାୟତା ନାହିଁ । ସରକାରଙ୍କ ମଧ୍ୟବିତ୍ତବର୍ଗର ଲୋକଙ୍କ ପ୍ରତି ଏଭଳି ବୈମାତୃକ ମନୋଭବ ଅସମ୍ବିଧାନିକ ଓ ଆଦୌ ଗ୍ରହଣୀୟ ନୁହେଁ । ସରକାର ସମସ୍ତ ମଧ୍ୟବିତ୍ତ ଲୋକଙ୍କୁ କୋଭିଡ଼ ସହାୟତା ଦେବା ସହିତ ପୀଡ଼ିଏସ୍ କାର୍ଡ଼ ନଥିବା ଲୋକଙ୍କୁ ବି ସବୁ ସରକାରୀ ଯୋଜନାରେ ସାମିଲ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯିବା ସହିତ ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସରକାରଙ୍କୁ ଚେତାଇ ଦିଆଯାଇଛି ।


