ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ମଙ୍ଗଳବାର ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ମେଳାକୁ ଆନୁଷ୍ଠାନୁିକ ଭାବେ ଉଦ୍ଘାଟନ କରିଥିଲେ । ଏହି ନିଯୁକ୍ତି ମେଳାରେ କେନ୍ଦ୍ରାପଡା, ଡେରାବିଶ, ମାର୍ଶାଘାଇ, ମହାକାଳପଡା ଓ ଗରଦପୁର ଆଦି ପାଞ୍ଚଟି ବ୍ଲକ ଏବଂ କେନ୍ଦ୍ରାପଡା ପୈାରାଞ୍ଚଳର ୭୪୬ ଜଣ ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ନିଯୁକ୍ତି ମେଳାରେ ଗୁଡ୍ ୱାକରସ, ସିପେଟ୍, ସେଞ୍ଚୁରିଆନ ୟୁନିଭରସିଟି, ଏସଆଇପିଟି, ପିନାକେଲ, ହ୍ୟୁମାନ ରିସୋର୍ସ, ସାହି ଏକ୍ସପୋର୍ଟ ପ୍ରଭୃତି ୩୪ଟି ପ୍ରମୁଖ ସଂସ୍ଥା ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା କର୍ମ ନିୟୋଜନ ଅଧିକାରିଣୀ କେ. ରୋଜା ଦୋରା ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା କାଲି ପଟ୍ଟାମୁଣାଇ ବ୍ଲକ ଅନ୍ତର୍ଗତ କଷଣଅଣ୍ଟା ଉଚ୍ଚ ବିଦ୍ୟାଳୟ ପଡିଆରେ ପୂର୍ବାହ୍ଣ ୧୦ଟା ସମୟରେ ଆଉ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ସେହି ମେଳାରେ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳର ଶିକ୍ଷିତ ବେକାର ଯୁବକ ଯୁବତୀମାନେ ନିଜ ନାମ ପଞ୍ଜିକରଣ କରି ଅଂଶ ଗ୍ରହଣ କରିପାରିବେ ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ପଣ୍ଡା,ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାରାଣୀ ପରିଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


