ନାଉଗାଁ ବ୍ଳକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଲକ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଟିତ ଶିବିରରେ ୨୫୭ଟି ଅଭିଯୋଗ ହୋଇଥିବା ବେଳେ ୫ଟି ସମାଧାନ କରାଯାଇଥିଲା । ଏଥିରେ ନାଉଗାଁ ବ୍ଳକରେ ଆଧାର କାର୍ଡ ଉଠାଣ ଓ ସଂଶୋଧନ ପାଇଁ କେନ୍ଦ୍ର ଥିଲା କିନ୍ତୁ ତାହା ବର୍ତମାନ ବନ୍ଦ ହୋଇଯାଇଛି । ଯାହାଫଳରେ ଉକ୍ତ ବ୍ଳକର ଜନସାଧାରଣାମାନେ ଆଧାର ଫଟୋ ଉଠାଇବା ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ତେଣୁ ଏହି ବ୍ଳକରେ ଏକ ଆଧାର କେନ୍ଦ୍ର ଖୋଲିବା ପାଇଁ ବାଂଶ ପଂଚାୟତର ସମାଜସେବୀ ଅଜୟ ଦାସ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଉକ୍ତ ବିଭାଗ ସହ କଥା ହେବା ସହିତ ଯଥା ଶୀଘ୍ର ଉକ୍ତ ବ୍ଳକରେ ଆଧାର କେନ୍ଦ୍ର ଖୋଲିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ପାରାଦୀପ୍ ପୋର୍ଟର ପୁର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର ଜିଲ୍ଲାପାଳଙ୍କ ନିକଟରେ ସମ୍ପୁର୍ଣ୍ଣ ଚାଲଘର ଥିବା ତାଲିକା ଓ ଜିଓ ଟ୍ୟାଗିଙ୍ଗ୍‌ରେ ବ୍ୟାପକ ପାତର ଅନ୍ତର ହୋଇଥିବା ବେଳେ ସମସ୍ତ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଥିଲେ । ସେହିପରି ଉକ୍ତ ବ୍ଲକରେ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପୁର୍ଣ୍ଣ ବାଟବଣା ହେଉଥିବା ଅଭିଯୋଗ କରିଥିଲେ ।ଏପରିକି ଛାତ ଘର ଥିବା ଲୋକ ପଡିଶାର ଚାଳଘର କିମ୍ବା ଗୁହାଳ ଦେଖାଇ ଉକ୍ତ ଯୋଜନାକୁ ହଡପ କରୁଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି ।ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଫନି ଓ ବୁଲବୁଲ ବାତ୍ୟାରେ ଚାଷୀକୁଳଙ୍କ କ୍ଷୟକ୍ଷତିର ସଠିକ ତଦନ୍ତ କରି ଚାଷୀକୁ କ୍ଷତିପୁରଣ ଦେବା ପାଇଁ କୃଷକ ନେତା ଆଶୋକ ସ୍ୱାଇଁ ଦାବି କରିଥିଲେ । ନନ୍ଦିଗ୍ରାମରେ ସରକାରୀ ଯୋଜନା ବିଫଳ ପ୍ରସଙ୍ଗରେ ଦୀଲ୍ଲପ ପାଢୀ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଉକ୍ତ ଗ୍ରାମରେ ଶିକ୍ଷା, ପାନୀୟ ଜଳ, ପରିମଳ, ଆବାସ ଯୋଜନା, ଖାଉଟି ସାମଗ୍ରୀ ଆଦିର ବିଭିନ୍ନ ସମସ୍ୟା ଦିର୍ଘଦିନ ଧରି ରହିଆସିଛି । ପାନୀୟ ଜଳ ବ୍ୟବସ୍ଥା ନନ୍ଦିଗ୍ରାମରେ ଜଳଯୋଗାଣ ପ୍ରକଳ୍ପ କରିଥିଲେ ମଧ୍ୟ ଉକ୍ତ ପାଣି ଟାଙ୍କିରୁ ଅପରିସ୍କାର ପାଣି ବାହାରୁଥିବା ବିଷୟକୁ ନେଇ ଅଭିଯୋଗ କରିଥିଲେ । ଏହି ଶିବିରରେ ସର୍ବମୋଟ ୨୫୭ ଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ଗ୍ରାମ୍ୟ ସମସ୍ୟା ସମ୍ବଦ୍ଧିତ ୮ଟି, ମୁଖ୍ୟମନ୍ତୀଙ୍କ ସହାୟତା ପାଣ୍ଠିର ୩, ଆବାସ ଯୋଜନାରେ ୧୬୭, ଭତା ୧୬, ରାସନ ସାମଗ୍ରୀ ୨୯, ଆଇନ ସହାୟତା ୩ ,ଫନି ସଂକ୍ରାନ୍ତୀୟ ୧୩, ଅନ୍ୟାନ୍ୟ ୧୩ଟି ଅଭିଯୋଗ ରହିଥିବା ବେଳେ ୫ଟି ଅଭିଯୋଗର ସମାଧାନ କରାଯାଇଥିଲା । ଅନ୍ୟ ଅଭିଯୋଗ ଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଶିବିରରେ ଜିଲ୍ଲାପାଳଙ୍କ ସହିତ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର,ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଡିଏସପି ଏସ.ଏନ ପଟ୍ଟନାୟକ,ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ,ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା,ପ୍ରଦୀପ୍ତ ବାରିକଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ