ଚୋରା ମଦ ବେପାରୀ ବ୍ୟବହାରରେ ଅତିଷ୍ଠ ଗ୍ରାମବାସୀ : ଥାନାରେ ଆସି ଦେଲେ ଅଭିଯୋଗ ପତ୍ର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଭଣ୍ଡାରିପୋଖରୀ ଥାନା ଅଂଚଳରେ ଚୋରା ମହୁଲି ମଦ ବିକ୍ରୟ ସେତେ ବୃଦ୍ଧି ପାଉଥିବା ଜଣାଯାଇଛି । ଏପରିକି ଗ୍ରାମବାସୀ ମାନେ ଏହାକୁ ବିରୋଧ କରୁଥିବା ବେଳେ ଚୋରା ବେପାରୀ ସେମାନଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହେଉଛି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଝୁଟୁଣା ଗ୍ରାମର ରବିନ୍ଦ୍ର ଜେନା ଓ ତାଙ୍କ ସ୍ତ୍ରୀ ସୁନା ଜେନା ଦୀର୍ଘ ବର୍ଷ ହେବ ଗାଁରେ ଚୋରା ମହୁଲିମଦ ବିକ୍ରି କରୁଛନ୍ତି । ଏବେ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ରବିନ୍ଦ୍ର ମହୁଲି ମଦ ବିକ୍ରୟକୁ ଆହୁରି ବଢାଇବାକୁ ଲାଗିଛି । ହାତ ପାହାନ୍ତାରେ ମଦ ମିଳୁଥିବାରୁ ଗାଁର ଯୁବ ଓ ମଧ୍ୟ ବୟସ୍କ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଏପରିକି ଗ୍ରାମ୍ୟ ପରିବେଶ ନଷ୍ଟ ହେଉଥିବା ବେଳେ ପ୍ରତ୍ୟକ ଦିନ ଗାଁରେ ମଦ ଜନିତ ଝଗଡା ଝାଣ୍ଟି ଲାଗି ରହୁଛି । ସଚେତନ ଗ୍ରାମବାସୀ ହିସାବରେ ଗାଁର କିଛି ଲୋକ ଏ ବାବଦରେ ସ୍ଥାନୀୟ ଥାନାକୁ ଜଣାଇଥିଲେ । ଏନେଇ ଗତ ୧୭ତାରିଖ ଦିନ ମଞ୍ଜୁରୀରୋଡ଼ ଫାଣ୍ଡି ପକ୍ଷରୁ ଚୋରା ମଦ ବେପାରୀ ରବିନ୍ଦ୍ରକୁ ଗିରଫ କରାଯାଇଥିଲା । ଗିରଫର କିଛି ଘଣ୍ଟା ପରେ ଚୋରା ବେପାରୀ ଜଣକ ଆପୋଷ ମୂଲଚାଲରେ ଫାଣ୍ଡିରୁ ଫେରିବା ପରେ ଏବେ ପୂର୍ବଭଳି ପୁଣି ମଦ ବିକ୍ରୟ କରୁଛି । ଏପରିକି ରବିନ୍ଦ୍ର ଓ ତା ସ୍ତ୍ରୀ ସୁନା ଦୁହେଁ ମିଶି ସାହି ପଡ଼ିଶା ଓ ଗାଁ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପୋଲିସକୁ ଯିଏ ଖବର ଦେବ ତାକୁ ଭୁଜାଲିରେ ହାଣି ଶେଷ କରିଦେବି ବୋଲି ଚୋରା ବେପାରୀ ଜଣକ ଧମକ ଦେଇଛି । ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଭୟଭୀତ ଗ୍ରାମବାସୀ ପ୍ରଭାତୀ ଜେନା, କାଂଚନ ଜେନା, ସୁଲୋଚନା ଜେନା, ମାଳତୀ ଜେନା, ମଞ୍ଜୁ ଜେନା ପ୍ରମୁଖ ମହିଳା ମାନେ ଗତ ରାତିରେ ଶୀତ କାକରରେ ଛୁଆପିଲାଙ୍କୁ ଧରି ଥାନାରେ ପହଂଚି ପୁଲିସ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହାଛଡା ଚୋରା ବେପାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ