ରାହୁଲ ଗାନ୍ଧୀଙ୍କ ପାଖରେ ଅଭିଯୋଗ : ଜିଲ୍ଲା ସଭାପତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପାଇଁ କାମ କରୁଛି ବୋଲି ଜଣେ କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି । ଏଭଳି ସମ୍ବେଦନଶୀଳ ଅଭିଯୋଗ ଅଖିଳ ଭାରତ କଂଗ୍ରେସ କମିଟି ଉପ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟରେ କରିଛନ୍ତି କଂଗ୍ରେସ କର୍ମୀ ସନ୍ତୋଷ କୁମାର ବେହେରା । ଶ୍ରୀ ବେହେରା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୨୦୦୦ ମସିହା ଠାରୁ ସେ କଂଗ୍ରେସ କର୍ମୀ ଭାବେ ଦଳ ପାଇଁ କାମ କରି ଆସୁଛନ୍ତି । ହେଲେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଏବେ ବିଜେଡି ଓ ବିଜେପି ପାଇଁ କାମ କରୁଛି । ଜିଲ୍ଲାରେ ଦଳର ସଂଗଠନ କିଭଳି ମଜଭୁତ ହୋଇପାରିବ ସେଥି ପାଇଁ ଦଳର ବିଭିନ୍ନ ପଦପଦବୀରେ ଥିବା ନେତୃତ୍ୱମାନେ କାମ କରୁନାହାଁନ୍ତି । ଅଭିଯୋଗପତ୍ରରେ ଏକ ଉଦାହରଣ ଦେଇ ସେ ଅଭିଯୋଗ କରିଛନ୍ତି ଯେ ଗତ ୨୦୧୭ ମସିହାରେ ତାଙ୍କ ପତ୍ନୀ କେନ୍ଦ୍ରାପଡା ବ୍ଲକର ୮ନମ୍ବର ଜୋନରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ହୋଇ ୬୩୦୦ ଭୋଟ ପାଇଥିଲେ । ହେଲେ ସେତେବେଳେ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳି ନଥିଲା । ଚଳିତ ନିର୍ବାଚନରେ ଦଳ ତାଙ୍କୁ ସହଯୋଗର ହାତ ବଢାଇ ପ୍ରାର୍ଥୀ କରିଲେ ସେ ନିଶ୍ଚିତ ଭାବେ ବିଜୟୀ ହୋଇ ପାରିଥାନ୍ତେ । କିନ୍ତୁ ଏଥର ଯାହାଙ୍କୁ ଦଳୀୟ ଟିକଟ ଦିଆଗଲା ସେ ଗତ ୨୦୧୭ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ହୋଇ ମାତ୍ର ୧୩୦ ଖଣ୍ଡ ଭୋଟ ପାଇଥିଲେ । ତେଣୁ ଦଳରେ କିଏ ଯୋଗ୍ୟ ପ୍ରାର୍ଥୀ ତାହା ଚିହ୍ନିବାରେ ଏବେ ଜିଲ୍ଲା କଂଗ୍ରେସ ଦାୟିତ୍ୱରେ ଥିବା ନେତା ଜାଣିପାରୁନାହାଁନ୍ତି । ଫଳରେ ଜିଲ୍ଲାରେ ଦଳର ବିପର୍ଯ୍ୟୟ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଶ୍ରୀ ବେହେରା ଏହି ଅଭିଯୋଗର ନକଲ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, କଂଗ୍ରେସ ନେତା ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପଞ୍ଚାନନ କାନୁଗୋ ଓ ବିପ୍ଳବ ଚୌଧୁରୀଙ୍କ ସମେତ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନିକଟକୁ ପଠାଇଥିବା କହିଛନ୍ତି । ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ ଯଦି କୌଣସି କଂଗ୍ରେସ କର୍ମୀଙ୍କ କିଛି ଆପତ୍ତି ଅଭିଯୋଗ ରହିଛି ତେବେ ସେ ଜିଲ୍ଲା ସଭାପତିଙ୍କୁ ଭେଟି ବ୍ୟକ୍ତିଗତ ଭାବେ ସମସ୍ୟାର ସମାଧାନ କରିପାରିବେ । କିନ୍ତୁ ଜିଲ୍ଲା ସଭାପତିଙ୍କ ପାଖକୁ ନ ଆସି ସିଧା ସଳଖ ଜାତୀୟ ନେତାଙ୍କୁ ଅଭିଯୋଗ କରିବାର କିଛି ଆବଶ୍ୟକତା ନାହିଁ । କଂଗ୍ରେସ ଦଳରେ ରହି କଂଗ୍ରେସ ବିରୋଧରେ ବିଷୋଦଗାର କରୁଥିବା କର୍ମୀ କେଭେ ସଚ୍ଚା କଂଗ୍ରେସ କର୍ମୀ ହୋଇ ନ ଥିବେ ବୋଲି ଜିଲ୍ଲା ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ