ସାମ୍ବାଦିକ ତୀର୍ଥବାସୀ ରଥଙ୍କ ଅକାଳ ବିୟୋଗ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ଗୋପ ବ୍ଳକର ବରିଷ୍ଠ ସମାଜ ସାମ୍ବାଦିକ ତୀର୍ଥବାସୀ ରଥଙ୍କ ଅକାଳ ବିୟୋଗରେ ଗୋପ ବ୍ଳକ ତଥା ସମଗ୍ର ପୁରୀ ଜିଲ୍ଲାରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଖବରରୁ ପ୍ରକାଶ ଯେ ଗତ ୨୦୦୦ମସିହା ଠାରୁ ୨୦୨୨ ପର୍ଯ୍ୟନ୍ତ ଦୀର୍ଘ ୨୨ବର୍ଷ ଧରି ସେ ସମାଜ ଖବରକାଗଜରେ ଗୋପ ବ୍ଳକର ସାମ୍ବାଦିକ ଭାବେ ସୁଚାରୁ ରୂପେ ଦାୟିତ୍ୱ ସଂପାଦନ କରି ସମଗ୍ର ପୁରୀ ଜିଲ୍ଲାରେ ସ୍ଵର୍ଗତ ତୀର୍ଥବାସୀ ରଥ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ଜନମାନସରେ ଆଦୃତ ଲାଭ କରିଥିଲେ । ସ୍ଵର୍ଗତ ତୀର୍ଥବାସୀ ରଥ ଦୀର୍ଘ ୧ବର୍ଷ ଧରି ମସ୍ତିଷ୍କ ଟ୍ୟୁମର ରୋଗରେ ପୀଡିତ ହୋଇ ଚିକିତ୍ସିତ ହୋଇଆସୁଥିଲେ। ସେ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ବ୍ୟକ୍ତିତ୍ୱ ଭାବେ ସମଗ୍ର ଗୋପ ବ୍ଳକରେ ଏକ ନିଆରା ପରିଚୟ ସୃଷ୍ଟି କରିବା ସହ ଦେବଭାଇନା ନାମରେ ସୁପରିଚିତ ଥିଲେ। ଆଜି ଭୋର ୭ଟା ସମୟରେ ଭୁବନେଶ୍ଵର ଶାସ୍ତ୍ରୀନଗର ସ୍ଥିତ ବାସଭବନ ଠାରେ ସ୍ଵର୍ଗତ ବରିଷ୍ଠ ସମାଜ ସାମ୍ବାଦିକ ତୀର୍ଥବାସୀ ରଥଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ମରଶରୀରକୁ ଭୁବନେଶ୍ଵର ଠାରୁ ପୈତୃକ ବାସ ଭବନ ଭୈରୀପୁର ଗ୍ରାମକୁ ଅଣାଯିବା ବାଟରେ ଗୋପ ବ୍ଳକ ଶିକ୍ଷାଧିକାରୀ କାର୍ଯ୍ୟ।ଳୟ ଠାରେ ସ୍ଵର୍ଗତ ତୀର୍ଥବାସୀ ରଥଙ୍କ ଶବଧାରାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ପରେ ଗୋପ ପ୍ରେସ କ୍ଲବ ପକ୍ଷରୁ ସଭାପତି ଭାରତୀ ଭୂଷଣ ଉପାଧ୍ୟାୟ ସ୍ଵର୍ଗତ ରଥଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୋପ ଦେବୀ ବଜାର କମିଟି, ଗୋପ ଜଳ ସମ୍ପଦ ବିଭାଗ ଠାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି, ଗୋପବ୍ଲକ ଠାରେ ବିଡିଓ ଦୀପ୍ତି ରାଣୀ ଦାସ, ବିଜେପି କାର୍ଯ୍ୟ।ଳୟ ଠାରେ ବିଜେପିର କର୍ମକର୍ତ୍ତା ମାନଙ୍କ ସମେତ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ସଭାପତି ଧନଂଜୟ ବେହେରା, କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଜ୍ୟୋତିରାଜ ମହାନ୍ତି ସମେତ ଗୋପ ତଥା ଆଖପାଖ ଅଞ୍ଚଳର ସାମାଜିକ ସଂଗଠନ, ବ୍ୟକ୍ତି ବିଶେଷ ମାନଙ୍କ ଦ୍ଵାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ପରେ ତାଙ୍କ ମରଶରୀରକୁ ନିଜ ପୈତୃକ ଗ୍ରାମ ଭୈରୀପୁରକୁ ନିଆଯାଇଥିଲା । ସେଠାରେ ପୁରୀ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅଖୟ କୁମାର ନାୟକ, ସାମ୍ବାଦିକ ପ୍ରତାପ କୁମାର କାଣ୍ଡିଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ପରେ ସ୍ଵର୍ଗତ ସାମ୍ବାଦିକ ରଥଙ୍କ ମରଶରୀରକୁ କୋଭିଡ ଗାଇଡଲାଇନ ଅନୁଯାୟୀ ଗ୍ରାମ ପରିକ୍ରମା କରାଯିବା ପରେ ଶେଷକୃତ୍ୟ ନିମନ୍ତେ ପୁରୀ ସ୍ଵର୍ଗଦ୍ୱାରକୁ ନିଆଯାଇଥିଲା । ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ରଥଙ୍କ ବିୟୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ବିଜୁଜନତା ଦଳର ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର, ଗୋପବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡା, ପ୍ରାକ୍ତନ ପ୍ରାଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟୋଇ, ବିଜେଡି ସଂପାଦକ ସ୍ୱାଧୀନ କୁମାର ନାୟକ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ପୁରୀ ସ୍ଵର୍ଗଦ୍ୱାର ଠାରେ ସ୍ଵର୍ଗତ ରଥଙ୍କ ମରଶରୀରରେ ତାଙ୍କର ଏକମାତ୍ର ପୁତ୍ର ମୃତ୍ୟୁଞ୍ଜୟ ରଥ ମୁଖାଗ୍ନି ଦେଇଥିଲେ । ସହଯୋଗୀ ରଶ୍ମିରଞ୍ଜନ ବେହେରା ଉପସ୍ଥିତ ରହୀ ସହଯୋଗ କରିଥିଲେ ।