କଲେଜରେ ବେଣୁଧର ପ୍ରଧାନ ସ୍ମାରକୀ ବକ୍ତୃତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ପୈାରହିତ୍ୟରେ ବେଣୁଧର ପ୍ରଧାନ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତି ବିଭାଗର ପୂର୍ବତନ ନିର୍ଦେଶକ ତଥା ବର୍ତ୍ତମାନର ଓଡିଆ ବିଶ୍ୱ ବିଦ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ବିଜୟ ନାୟକ ଏହି ବକ୍ତୃତା ପ୍ରଦାନ କରିଥିଲେ । ବେଣୁଧର ପ୍ରଧାନ କେନ୍ଦ୍ରାପଡା ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ଥିଲେ ଏବଂ ଏହି କଲେଜର ନୀଳନକ୍ସା ତିଆରି କରିଥିଲେ । ବାଣୀବିହାର ରାଜନୀତି ବିଜ୍ଞାନ ବିଭାଗରେ ଯୋଗଦେଇ ସେ ଗାନ୍ଧୀ ବିଚାର ଅଧ୍ୟୟନ ପାଇଁ ଏକ ବିଭାଗ ସୃଷ୍ଟି କରିଥିଲେ । ସେ ରାଜନୀତି ବିଜ୍ଞାନ ଅପେକ୍ଷା ନୀତି କଥା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ସେ କ୍ୟାରିଅର ଅପେକ୍ଷା ଭଲ ନାଗରିକ ଓ ଚରିତ୍ର ଗଠନ ଉପରେ ଅଧିକ ଧ୍ୟାନ ଦେବାକୁ କହୁଥିଲେ । ଶ୍ରୀ ନାୟକ ଗାନ୍ଧୀଙ୍କ ଆଠଥର ଓଡିଶା ଆଗମନ ଓ ଓଡିଶା ସହ ଗାନ୍ଧୀଙ୍କ ଭାବଗତ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ । ଗାନ୍ଧୀ ଓଡିଶା ସମ୍ପର୍କରେ ପ୍ରଶ୍ନ କଲାରୁ ଏହା କଲିକତା ଓ ମାଡ୍ରାସ ମଧ୍ୟରେ ଏକ ସ୍ଥାନ ବୋଲି ତାଙ୍କୁ ଧାରଣା ଦିଆଯାଇଥିଲା । ବଙ୍ଗଳାକୁ ଦୁଇ ଭାଗ କରିଥିବାରୁ ବଙ୍ଗଭଙ୍ଗ ଆନ୍ଦୋଳନ ହୋଇଥିଲା । କିନ୍ତୁ ଓଡିଶା ୪ଭାଗ ହେଲା ପରେବି ଓଡିଶା ନୀରବ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପ୍ରସ୍ତାବକୁ ସେ ସମର୍ଥନ କରିଥିଲେ ଓ ଏହିଠାରେ ବ୍ରିଟିଶକୁ ସଇତାନ ଜାତି ବୋଲି କହିଥିଲେ । ଗାନ୍ଧୀଙ୍କ ଆଗମନ ପରେ ଅର୍ଥାତ ୧୯୨୧ପରଠୁ ଆନ୍ଦୋଳନ ତୀବ୍ରତର ହୋଇଥିଲା ଏବଂ ଲବଣ ସତ୍ୟାଗ୍ରହରେ ଦାଣ୍ଡିପରେ ଓଡିଶାରେ ଏହା ଅଧିକ ବ୍ୟାପକ ହୋଇଥିଲା । ଓଡିଶା ସେତେବେଳେ ୬ଟି ବ୍ୟାଧି ଯଥା ରୋଗ, ଭୟ, ଆଳସ୍ୟ, ନୈରାଶ୍ୟ, ଅସ୍ପୃଶ୍ୟତା ଓ ନିଶାରେ ଆକ୍ରାନ୍ତ ହେବା କଥା ସେ ଉତଥାପନ କରିଥିଲେ । ଗାନ୍ଧୀଙ୍କ ଆନ୍ଦୋଳନର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋଚନାକରି ଲୁଗା ଓ ଲୁଣ ପ୍ରସଙ୍ଗ ଉତଥାପନ କରିଥିଲେ । ୨ହଜାର ବର୍ଷ ତଳେ ଏହି ଓଡିଶା କିପରି କଳିଙ୍ଗ ଯୁଦ୍ଧରେ ଅଶୋକଙ୍କ ହୃଦୟ ପରିବର୍ତ୍ତନ କରିପାରିଥିଲା କହିବା ସହ ଗାନ୍ଧୀଙ୍କ ଓଡିଶା ସହ ଭାବଗତ ସମ୍ପର୍କର ଏହା ଆଧାର ହୋଇପାରେ ବୋଲି କହିଥିଲେ । ମଧୁବାବୁ ଓ ଗୋପବନ୍ଧୁଙ୍କ ପ୍ରଭାବ କଥା ମଧ୍ୟ କହିଥିଲେ । ଅଧ୍ୟାପକ ତପନ କୁମାର ପତି ଅତିଥି ପରିଚୟ ଓ ସ୍ମାରକୀ ବକ୍ତୃତା ଉପରେ ସୂଚନା ପ୍ରଦାନ କରିଥିଲେ । କଲେଜ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ବେଣୁଧର ପ୍ରଧାନଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ରାମଚନ୍ଦ୍ର ବେହେରା, ଡଃ. ସେକ ସମସୁର, କୈଳାସ ଚନ୍ଦ୍ର ବରାଳ, ଅଜୟ ସାମଲ, ବାସୁଦେବ ଦାସ, ଅମୁଲ୍ୟ ମଲ, ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ. ପ୍ରମୋଦ କୁମାର ଦାସ, ଡଃ. ଦେବେନ୍ଦ୍ର ନାଥ ଗୋଛାୟତ, ପ୍ରାଧ୍ୟାପକ ସଞ୍ଜିବ ମହାନ୍ତି, ରାମଚନ୍ଦ୍ର ପାତ୍ର, ମନୋରଞ୍ଜନ ମହାନ୍ତି, ରମାନାଥ ମହାନ୍ତି, ସେକ ସାହାବୁଦ୍ଦିନ ଅଲ୍ଲୀ, ଡଃ. ଗୈାରପ୍ରସାଦ ଷଡଙ୍ଗୀ, ରଞ୍ଜିତ କୁମାର ଦାସଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀମାନେ ଉପସ୍ଥିତ ଥିଲେ । ସଂଯୋଜକ ଅଧ୍ୟାପକ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ଅର୍ଚ୍ଚନା ସ୍ୱାଇଁ ଏହାକୁ ସଂଚାଳନ କରିଥିଲେ । ଉପଯୁକ୍ତ ବ୍ୟବଧାନ ଓ ସମସ୍ତ କୋଭିଡ ନିୟମ ଅନୁପାଳନ ପୂର୍ବକ ଏହି ସ୍ମାରକୀ ବକ୍ତୃତା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ