ନାଉଗାଁରେ ବୋଇତ ବନ୍ଦାଣ ଉତ୍ସବ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ପବିତ୍ର କାର୍ତିକ ପୂର୍ଣ୍ଣମା ଅବସରରେ ନାଉଗାଁ ବ୍ଳକରେ ବୋଇତ ବନ୍ଦାଣ ଉତ୍ସବ ଶିଖରଘାଟ ଓ ଗାରୋଇରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ସାଂସ୍କୃତିକ ପରିଷଦ ଦ୍ୱାରା ଶିଖରଘାଟରେ ଆୟୋଜିତ ଉତ୍ସବରେ ପ୍ରାତଃରୁ ସ୍ଥାନୀୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପିଲାମାନଙ୍କୁ ନେଇ ସାତ ସାଧବ ପୁଅ,ସାଧବ ବୋହୁ ବେଶରେ ସଜ୍ଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗୋଠଦା ମଠାଧିଶ ମହନ୍ତ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ ଓ ପୁରୀ ରାଧାବଲ୍ଲଭ ମଠର ମଠାଧିଶ ରାମକୃଷ୍ଣ ଦାସ ମହାରାଜ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ।ଏହି ଅବସରରେ ଆୟୋଜିତ ସଭାରେ ପରିଷଦର ସଭାପତି ଚିନ୍ତାମଣୀ ପର୍ବତ ଗୋସ୍ୱାମୀଙ୍କ ପୌରହିତ୍ୟରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ବିଶିଷ୍ଟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ବରିଷ୍ଟ ସାମ୍ବାଦିକ ଗୌରହରି ଦାସ, ପାରାଦୀପ ପୋର୍ଟ ଟ୍ରଷ୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର ପ୍ରମୁଖ ଯୋଗଦେଇ ବୋଇତ ବନ୍ଦାଣ ଉପରେ ଆଲୋକପାତ କରିଥିଲେ । ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଚାଇନା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଷଦର ସଂପାଦକ ସରୋଜ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଷଦର ମୁଖ୍ୟ ଉପଦେଷ୍ଟା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ଉତ୍ସବର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ କହିଥିଲେ । ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ସେହିପରି ଗାରୋଇ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୋବର୍ଦ୍ଧନ ପୀଠ ଗାରୋଇ ଆଶ୍ରମର ମହନ୍ତ ଶ୍ରୀ ଶ୍ରୀ ଦିବ୍ୟଲୋଚନ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ ଆଶ୍ରମର ଅନ୍ତେବାସୀ, ଭକ୍ତ ଶ୍ରଦ୍ଧାଳୁ ଓ ଆଖପାଖ ଅଂଚଳର ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସଂର୍କିତନ ମଣ୍ଡଳୀ,ଭେରୀତୂରୀ ସହିତ ଆତସବାଜୀ ଶୋଭାଯାତ୍ରାରେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର କୁନି କୁନି ପିଲାମାନେ ସାତ ସାଧବ ପୁଅ ଓ ସାଧବ ବୋହୁ ବେଶରେ ସଜ୍ଜିତ ହୋଇଥିଲେ । ଆଶ୍ରମର ଆଚାର୍ଯ୍ୟ ପ୍ରଭାତ ତ୍ରିପାଠୀଙ୍କର ହୋମ ଓ ବେଦ ଧ୍ୱନି ସହ ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ପରିବେଶ ମୁଖରିତ ହୋଇଥିଲା । ସୁସଜ୍ଜିତ ବୋଇତରେ ସାଧବ ପୁଅମାନେ ଆରହଣ କରିବା ପରେ ବୋଇତକୁ ଆଶ୍ରମର ମଠାଧିଶ ବନ୍ଦାଇ ଥିଲେ ।ଏହାପରେ ସାଧବ ବୋହୁମାନେ ବନ୍ଦାପନା କରିବା ପରେ ଆଶ୍ରମର ଅନ୍ତେବାସୀ ଓ ଶ୍ରଦ୍ଧାଳୁମାନେ ବନ୍ଦାଇ ଥିଲେ । ଏହି ପରିପେକ୍ଷୀରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଅଚ୍ଚୁତ୍ୟ ଇଂଗ୍ରାଜୀ ମାଧ୍ୟମ ବିଦ୍ୟାଳୟର ପିଲାମାନେ ଭଜନ ଓ ନୃତ୍ୟ ପରିବେଷଣ କରିଥିଲେ ।ଏଠାରେ କର୍ତା ଭାବେ ଶିକ୍ଷକ ରବିନ୍ଦ୍ର ନାଥ ସ୍ୱାଇଁ ମଙ୍ଗଳ ହୋମ ସମ୍ମାପନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଅଧ୍ୟାପକ ଡଃ. ନିରଂଜନ ବିଶ୍ୱାଳ, ବାବୁଲି ବିଶ୍ୱାଳ, ଚିତ୍ରସେନ ବିଶ୍ୱାଳ,କେଦାରନାଥ ବିଶ୍ୱାଳ, ସୁରେନ୍ଦ୍ରନାଥ ପରିଡାଙ୍କ ପ୍ରମୁଖ ପରିଚାଳନା କରିଥିଲେ । ପରେ ଝୋଟି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।


