ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଶକେତୁ ଦାସଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅବରପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ମନୋରଂଜନ ଦଳେଇ, ସ୍କୁଲ କମିଟିର ସଭାପତି ଜୟରାମ ମହ।।ରଣା, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହରିହର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଡ.ଦାସ ଗତ ୨୮.୦୮.୨୦୧୯ ରେ ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ ପର ଠାରୁ ଆଜିର ଅବସର ଗ୍ରହଣ ଦିନ ପର୍ଯ୍ୟନ୍ତ ମହାରାଜା ହାଇସ୍କୁଲର ଉନ୍ନତି, ବିକାଶ ଓ ଛାତ୍ରଙ୍କ ଶିକ୍ଷାଦାନ ଉପରେ ନିଜକୁ ନିୟୋଜିତ କରି ହାଇସ୍କୁଲର ବେସ ଉନ୍ନତି ସାଧନ କରିଥିବାରୁ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର, ମୁଖ୍ୟବକ୍ତା ଶ୍ରୀ ଦଳେଇ ପ୍ରମୁଖଙ୍କ ସହ ମଞ୍ଚାସୀନ ବକ୍ତାମାନେ ଅବସର ଗ୍ରହଣ କରିଥିବା ଡ.ଦାସଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଡ.ଦାସ ନିଜ ପ୍ରତି ଉତ୍ତରରେ କହିଥିଲେ ଯେ, ବିଦ୍ୟାଳୟର ଉନ୍ନତି ପାଇଁ ମୋର ସମସ୍ତ ସହକର୍ମୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗରେ ଉନ୍ନତି ସାଧିତ କରିପାରିଛି । ସରକାରୀ ଚାକିରୀ କ୍ଷେତ୍ରରେ ଅବସର ଗ୍ରହଣ କରିବା ନିୟମ ରହି ଆସିଛି । ହେଲେ ମହାରାଜା ହାଇସ୍କୁଲର ଉନ୍ନତି ଓ ବିକାଶଧାରାକୁ ଆଗେଇ ନେବା ପାଇଁ ଅବସର ଗ୍ରହଣ କରିଥିଲେ ମଧ୍ୟ ମୁଁ ନିଶ୍ଚିତ ଭାବେ ଯଥା ସମ୍ଭବ ସହଯୋଗ କରିବି । ପାରଳାଖେମୁଣ୍ଡି ସହରବାସୀ, ସମସ୍ତ ଗଣମାଧ୍ୟମ ପ୍ରତିନିଧି, ସମସ୍ତ ପଦାଧିକାରୀ ଓ ରାଜନେତାମାନଙ୍କ ସମସ୍ତ ସହଯୋଗ ଓ ସମର୍ଥନରେ ଗତ ୨୦୧୯ଠାରୁ ଆଜି ପର୍ଯ୍ୟନ୍ତ ମୋର ଦାୟିତ୍ୱ ମୁଁ ତୁଲାଇ ଆସିଛି । ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଯେଉଁ ସ୍ଥାନରେ ଥିଲେ ବି ଏହି ଶତାୟୁ ପୁରାତନ ହାଇସ୍କୁଲର ଉନ୍ନତି ପାଇଁ ଡାକରା ଦେଲେ ମୁଁ ନିଜକୁ ଗର୍ବର ସହ ସାମିଲ ହେବି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖଙ୍କ ସମେତ ହାଇସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସମେତ ରାଜନେତା, ସହରର ବୁଦ୍ଧିଜୀବୀ ଉପସ୍ଥିତଥିଲେ ।


