ପୁନର୍ବାର ଏକ ବିଶାଳ ରାଲିର ଯୋଜନା
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ଶାଖା ତରଫରୁ ଚଳିତ ମାସ ୪ ତାରିଖରେ ରାମ ମନ୍ଦିର ପଛପାଖରୁ ୧୦ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାରେ ଏକ ବିଶାଳ ରାଲି କରାଯାଇ ୫ ଦଫା ଦାବି ଉପସ୍ଥାପନ କରରାଯାଇଥିଲା । ପର୍ଯ୍ୟାୟକ୍ରମେ ସ୍ଥାୟୀ ନିଯୁକ୍ତି, ମାସିକ ୬ ହଜାରରୁ ଉର୍ଦ୍ଧ୍ୱ ପ୍ରୋତ୍ସାହନ ରାଶି ପ୍ରଦାନ, ପଞ୍ଚାୟତିରାଜ ବିଭାଗ ଚିଠି ନଂ-୧୭୧୩୭କୁ ସମ୍ପୂର୍ଣ୍ଣ ବାତିଲ୍, କାର୍ଯ୍ୟ ପାଉନଥିବା ଗାଁସାଥୀ (ମେଟ୍)ଙ୍କ କ୍ଷତିପୂରଣ ଦେବା ଲାଗି ସ୍ୱତନ୍ତ୍ର କର୍ପସ ପାଣ୍ଠି ଗଠନ ଓ ୩ଟି ଗାଁସାଥୀ (ମେଟ୍) ବିରୋଧୀ ଚିଠିର ଆବଶ୍ୟକୀୟ ପରିବର୍ତ୍ତନ ଦାବିରେ ନଭେମ୍ବର ୪ ତାରିଖରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱର ଧାରଣାସ୍ଥଳରେ ଥିବା ୧୧ (କ) ନମ୍ବର ଟେଣ୍ଟରେ ଅହୋରାତ୍ର ଗଣଧାରଣା ଅବ୍ୟାହତ ରହିଛି ବୋଲି ସ୍ୱତନ୍ତ୍ର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ସେହି ଟେଣ୍ଟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଆଜିର ନିଷ୍ପତ୍ତି ଅନୁସାରେ ସାରା ଓଡ଼ିଶାର ଗାଁସାଥୀ (ମେଟ୍) ସଂଘର ରାଜ୍ୟ, ଜିଲ୍ଲା ଓ ବ୍ଲକ କମିଟିର ସଭ୍ୟସଭ୍ୟାମାନେ ଚଳିତ ନଭେମ୍ବର ୧୮ ତାରିଖ ସକାଳ ୯ ଘଟିକାରେ ଭୁବନେଶ୍ୱର ଧାରଣାସ୍ଥଳରେ ଥିବା ଗାଁସାଥୀ ସଂଘ ଟେଣ୍ଟରେ ଏକତ୍ରିତ ହେବା ଲାଗି ରାଜ୍ୟ ସଂଘ ଆହ୍ୱାନ ଜଣାଇଛି । ସେଠାରେ ପୁର୍ନବାର ନଭେମ୍ବର ଶେଷ ସୁଦ୍ଧା ଏକ ବିଶାଳ ରାଲିର ଯୋଜନା କରାଯାଇ ବ୍ୟାପକ ଆନ୍ଦୋଳନର ଯୋଜନା ହେବ ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଏଣୁ ତା ପୂର୍ବରୁ ଗାଁସାଥୀ (ମେଟ୍)ମାନଙ୍କ ସମସ୍ୟାର ଆଶୁ ସମାଧାନ ଲାଗି ମାନନୀୟ ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ସଚିବ ୫-ଟି ଆଜ୍ଞାଙ୍କର ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡ଼ିଛନ୍ତି ସଂଘର କର୍ମକର୍ତ୍ତାଗଣ । ଆଜିର ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗାଁସାଥୀ ସଂଗଠକ ସୁଶାନ୍ତ ସେଠୀ, କୁଳମଣି ମେଣ୍ଟା, ସୌଭାଗ୍ୟ ମିଶ୍ର, କୃଷ୍ଣ କୁରାମୀ, ଶଙ୍କର୍ଷଣ ପଲାଇ, ହରିଦାସ ପଦୁଆ, ବାମନ ମାଡ଼କାମୀ, ଶଙ୍କର ଶବର, ପ୍ରତାପ ମଲ୍ଲିକ, ଗୋପାଳ ଶବର, ମନୋଜ କୁମାର ସ୍ୱାଇଁ, ଅଭୟ ପ୍ରଧାନ, ବଳରାମ ପାତ୍ର, ମନୋଜ କୁମାର ସାହୁ ଓ ଅନ୍ୟ ୫ ଶହରୁ ଉର୍ଦ୍ଧ୍ୱ ଗାଁସାଥୀ ସଂଗଠକ ଉପସ୍ଥିତ ଥିଲେ ।


