ତାଲା ପକାଇ ଧାରଣାରେ ବସିଲେ ଚାଷୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପ୍ରାଥମିକ ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଫଳରେ ମଙ୍ଗଳବାର ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟମାନେ ସେବା ସମବାୟ ସମିତି କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ସମିତି ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଯାହାଫଳରେ ସମିତିର ସଂପାଦକ ଜ୍ୟୋତିପ୍ରକାଶ ଲେଙ୍କା ଓ କର୍ମଚାରୀ ରୁଦ୍ରନାରାୟଣ ରାଉତ ଦୀର୍ଘ ଏକ ଘଂଟା କାଳ କାର୍ଯ୍ୟାଳୟ ଭିତରେ ଫସି ରହିଥିଲେ । ଘଟଣାସ୍ଥଳରେ ବ୍ଳକ ଯୋଗାଣ ନିରୀକ୍ଷକ ଅମୀୟ ରଂଜନ ପ୍ରଧାନ, ନାଉଗାଁ ଥାନା ଏଏସଆଇ ରବିନ୍ଦ୍ରନାଥ ସେନାପତି, ଏଏସଆଇ ଏ.ଟି ଖାନ୍ନ ପହଂଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ରୋହିତ କୁମାର ଦାସ ଚାଷୀମାନଙ୍କ ସହିତ ଫୋନ ମାଧ୍ୟମରେ କଥା ହୋଇ ଆସନ୍ତା ୪ତାରିଖ ମଧ୍ୟରେ ମଣ୍ଡି ଖୋଲିବା ପାଇଁ ପ୍ରତିଶୃତି ଦେବା ପରେ ଚାଷୀମାନେ ଧାରଣାରୁ ଓହରିଥିଲେ । ଚଳିତ ବର୍ଷ ତୁହାକୁ ତୁହା ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି । ସେଥିରୁ ଚାଷୀ ଯେଉଁ ଧାନକୁ ସଂଗ୍ରହ କରିଛି ତାହାକୁ ବିକ୍ରି କରିବା ପାଇଁ ଏପର୍ଯ୍ୟନ୍ତ ମଣ୍ଡି ଖୋଲୁ ନାହିଁ । ଯାହାଫଳରେ ଚାଷୀ ଧାନ ବିକ୍ରି କରି ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଯଥାଶୀଘ୍ର ମଣ୍ଡି ଖୋଲିବା ପାଇଁ ଚାଷୀମାନେ ଦାବି କରିଥିଲେ । ଚାଷୀମାନଙ୍କ ମଧ୍ୟରେ ନବନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ସଦସ୍ୟ ପ୍ରଫୁଲ ପରିଡା, ଚାଷୀ ଜଟାଧାରୀ ନାୟକ, ସୁଶାନ୍ତ ଲେଙ୍କା, ସୁଦର୍ଶନ ପରିଡା, ବିଜୟ କୁମାର ପରିଡା, କୃଷ୍ଣଚନ୍ଦ୍ର ବରାଳ, ଜ୍ୟୋତିଷ ଚନ୍ଦ୍ର ନାୟକ, ବୀରବର ମହାନ୍ତି, ଗୌରାଙ୍ଗ ପରିଡା, ଭାଗୀରଥୀ ସାହୁ ପ୍ରମୁଖ ବସି ରହିଥିଲେ । ସୂଚନା ଥାଉକି ଉକ୍ତ ମଣ୍ଡିରେ ଚଳିତ ଖରିଫ ରିତୁରେ ଧାନ ଦେବା ପାଇଁ ୫୩୮ଜଣ ଚାଷୀ ନାମ ପଂଜିକରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ