୨୦୨୨ କେନ୍ଦ୍ରୀୟ ବଜେଟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କେନ୍ଦ୍ରୀୟ ବଜେଟ ଏପରି ସମୟରେ ଆଗତ କରାଯାଇଛି ଯେତେବେଳେ ଦେଶର ସଂଖ୍ୟାଗରିଷ୍ଠ ମଣିଷ ରୋଜଗାର ହରେଇଛନ୍ତି । ଜୀବନ ଓ ଜୀବିକା ବଞ୍ଚାଇବା ପାଇଁ ଛଟପଟ ହେବା ସହିତ ନିତିଦିନିଆ ନ୍ୟୁନତମ ଆବଶ୍ୟକତା ମେଣ୍ଟାଇବା ପାଇଁ ଡ଼ହଳବିକଳ ହେଉଛନ୍ତି । ଦେଶରେ ୯୯% ଲୋକଙ୍କର ଆୟ କମିଛି । ଏପରି ସ୍ଥିତିରେ ଯେକୌଣସି ସରକାରଙ୍କ ପ୍ରାଥମିକତା ହେଉଛି ରୋଜଗାରର ନ୍ୟୁନତମ ନିଶ୍ଚୟତା । ଲୋକଙ୍କ ହାତକୁ ଆବଶ୍ୟକତା ମେଣ୍ଟାଇବା ପାଇଁ ଅର୍ଥ କିପରି ଆସିବ ତାର ବନ୍ଦୋବସ୍ତ କରିବା । ସରକାର ଏହି ବଜେଟରେ ଏହାର ବ୍ୟବସ୍ଥା କରିବା ତ ଦୂରର କଥା, ବର୍ଷକୁ ୨ କୋଟି ରୋଜଗାର ଯୋଗାଇ ଦେବା ପାଇଁ ଦେଇଥିବା ନିଜ ପ୍ରତିଶ୍ରୁତିରୁ ମଧ୍ୟ ଓହରି ଯାଇଛନ୍ତି । ଏପରିକି ଗ୍ରାମାଞ୍ଚଳରେ ୧୦୦ ଦିନିଆ ରୋଜଗାର ଯୋଜନାର ଅର୍ଥ ବରାଦ ମଧ୍ୟ ୧୪ ପ୍ରତିଶତ କମ୍ କରିଦିଆଯାଇଛି । ବର୍ତ୍ତମାନ ଦେଶରେ ୨୦କୋଟି ଲୋକ ଭୋକିଲା ରହିଥିବା ବେଳେ ସରକାର ଖାଦ୍ୟ ଉପରେ ରିହାତିକୁ ୧୬ ପ୍ରତିଶତ ହ୍ରାସ କରିଛନ୍ତି । ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍ ଉପରେ ଲାଗୁ ଥିବା ଟିକସ କମାଇବା ପରିବର୍ତ୍ତେ ରନ୍ଧନ ଗ୍ୟାସ୍ ପାଇଁ ରିହାତିକୁ ହ୍ରାସ କରିଛନ୍ତି ଯାହାଦ୍ୱାରା ଏହାର ଅଧିକ ମୂଲ୍ୟବୃଦ୍ଧି ଘଟିବ । ଏହି ବଜେଟରେ ମହିଳାମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରାଯାଇଛି । ମହିଳାମାନଙ୍କୁ ରୋଜଗାର ଯୋଗାଉଥିବା ସମ୍ମିଳିତ ଯୋଜନାର ବ୍ୟୟବରାଦ ୨୦୨୧-୨୨ରେ ୩.୨ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହାକୁ କମାଇ ୨.୫ ପ୍ରତିଶତ କରାଯାଇଛି । ସରକାର ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଡ଼ିଜିଟାଲ କରିବା ଯୋଗୁଁ ପଛୁଆ ଓ ଗରିବ ଝିଅମାନେ ପାଠପଢାରୁ ବଂଚିତ ହେଉଛନ୍ତି । ଏମାନଙ୍କ ପାଇଁ ବଜେଟରେ କୌଣସି ଉଲ୍ଲେଖ ମଧ୍ୟ ନାହିଁ । ୨ ଲକ୍ଷ ସ୍ମାର୍ଟ ଅନଙ୍ଗୱାଡ଼ି କେନ୍ଦ୍ର ଖୋଲାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି । କିନ୍ତୁ ଅଙ୍ଗନୱାଡ଼ି କର୍ମୀ ସହ ଅନ୍ୟସବୁ ଯୋଜନାରେ କାମ କରୁଥିବା ମହିଳା କର୍ମଚାରୀମାନଙ୍କୁ ନ୍ୟୁନତମ ମଜୁରୀ ତ ଦୂରର କଥା, ସେମାନଙ୍କ ଦରମା ମଧ୍ୟ ବୃଦ୍ଧି କରିନାହାଁନ୍ତି । ଏପରିକି ସାମାଜିକ ସୁରକ୍ଷା ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇ ନାହିଁ । କରୋନା କାଳରେ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କମାଇ ଦିଆଯାଇଛି । ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନଛକଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଓଡ଼ିଶା ରାଜ୍ୟ କମିଟି ତରଫୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମିତିର ଜାତୀୟ ସମ୍ପାଦିକା ତାପସୀ ପ୍ରହରାଜ ଯୋଗଦେଇ କହିଲେ ଯେ, କର୍ପୋରେଟ ସଂସ୍ଥାମାନଙ୍କୁ ଟିକସ ଛାଡ଼ କରାଯାଇଥିବା ବେଳେ ସାର ଉପରେ ରିହାତି ୨୫ ପ୍ରତିଶତ କମାଇ ଦିଆଯାଇଛି । ଦେଶ ଯେତେବେଳେ ତୀବ୍ର ବେରୋଜଗାରୀ, କ୍ଷୁଧା ଓ ଦାରିଦ୍ର୍ୟ, ଲଗାମହୀନ, ମୁଦ୍ରାସ୍ଫୀତି ଓ ଗଭୀର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସରକାର ଦେଶବାସୀଙ୍କ ସ୍ୱାର୍ଥ ସହିତ ବିଶ୍ୱାସଘାତକତା କରିଛନ୍ତି । କର୍ପୋରେଟ ସ୍ୱାର୍ଥ ରକ୍ଷାକାରୀ, ଜନବିରୋଧୀ ଏହି ବଜେଟକୁ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଓଡ଼ିଶା ରାଜ୍ୟ କମିଟି ତରଫରୁ ତୀବ୍ର ବିରୋଧ କରାଯିବା ସହିତ ଏହି ବଜେଟକୁ ଦୃଢ ପ୍ରତିବାଦ କରିବା ପାଇଁ ଶ୍ରୀମତୀ ପ୍ରହରାଜ ଆହ୍ୱାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁଗ୍ମ ସମ୍ପାଦିକା ମିନତୀ ପାଣିଗ୍ରାହୀ, ବିମଳି ନାୟକ, ନିରୂପମା ନାୟକ, ନୟନା ନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ବଜେଟକୁ ତୀବ୍ର ବିରୋଧ କରିବା ସହିତ ବଜେଟକୁ ପୋଡ଼ିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ