ବନଖଣ୍ଡରେ ବଢ଼ିଚାଲିଛି ହାତୀ ଉପଦ୍ରବ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ହାତୀ ଆକ୍ରମଣରେ ଗଲା ବୃଦ୍ଧଙ୍କ ଜୀବନ । ଏପରି ଘଟଣା ଘଟିଛି କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଂଜର ଦରୀ ଗାଁରେ । ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡାଇବା ବେଳେ ଏହି ଅଘଟଣ ଘଟିଛି । ହାତୀମାନେ ଗାଁ ମୁହାଁ ହେବାରୁ ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିଥିଲେ । ଫଳରେ ଗ୍ରାମର ଗୌତମ ନାୟକ ନାମକ ବୃଦ୍ଧ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ । ଦନ୍ତା ଆକ୍ରମଣରେ ଗୁରୁତର ହେବାରୁ ତାଙ୍କୁ କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କରଞ୍ଜିଆ ବନଖଣ୍ଡ ଅଂଚଳରେ ବର୍ଷ ତମାମ ଝାଡଖଣ୍ଡି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ଫଳରେ ଅନେକ ଧନଜୀବନ ହାନୀ ହେଉଛି ।ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ପଲ ପଶି ଲୋକଙ୍କ ଧାନ ଓ ପରିବା ଫସଲ ବ୍ୟାପକ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି ଲୋକଙ୍କ ବ୍ୟାପକ କ୍ଷୟକ୍ଷତି ମଧ୍ୟ କରୁଛନ୍ତି । ହାତୀ ପଲଙ୍କୁ ଘଉଡ଼ାଇବାକୁ ବନବିଭାଗ ଓ ଗ୍ରାମବାସୀ ସବୁ ବେଳେ ଉଦ୍ୟମ ଜାରି ରଖିଛନ୍ତି । ହାତୀ ପଲକୁ ଘଉଡାଇଲେ ମଧ୍ୟ ସେମାନେ ଗୋଟିଏ ଗ୍ରାମରୁ ଆଉ ଗୋଟିଏ ଗ୍ରାମ ଆଡକୁ ଯାଉଛନ୍ତି । ହାତୀପଲଙ୍କୁ ଘଉଡ଼ାଇବାକୁ ବନ ବିଭାଗ ଓ ଗ୍ରାମବାସୀଙ୍କ ଉଦ୍ୟମ ଜାରି ରହିଛି ।


