ଆଶ୍ରମର ପୁନରୁଦ୍ଧାର ପାଇଁ ସଂସ୍କୃତି ବିଭାଗ ପଦକ୍ଷେପ ନେବାକୁ ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କଟକର ସ୍ୱରାଜ ଆଶ୍ରମ ପରେ ସେତେବେଳର ଜଗତସିଂହପୁର ସବ୍ଡ଼ିଭିଜନ ତଥା ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଅଳକା ନଈଧାରରେ ଅବସ୍ଥିତ ଥିବା ସ୍ୱାଧୀନତାର ସଂଗ୍ରାମୀପୀଠ ଅଳକା ଆଶ୍ରମ ଭାରତୀୟ ମୁକ୍ତି ସଂଗ୍ରାମରେ ଏକ କ୍ରାନ୍ତିକାରୀ ଭୂମିକା ନିଭାଇଥିଲା । ଆଜକୁ ୧୦୦ ବର୍ଷ ତଳେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କରକମଳରେ ଏହି ଆଶ୍ରମର ଉଦ୍ଘାଟନ ହୋଇଥିଲା । ଲକ୍ଷ୍ୟ ଥିଲା ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ ଡ଼ାକରାରେ ଯେଉଁ ଛାତ୍ରଛାତ୍ରୀମାନେ ସେତେବେଳେ ଇଂରାଜୀ ସ୍କୁଲ୍କୁ ବୟକଟ କରିଥିଲେ, ସେମାନଙ୍କୁ ଏହି ଆଶ୍ରମରେ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭର କରିବା ସଙ୍ଗେ ସଙ୍ଗେ ଜଣେ ଜଣେ ସଂଗ୍ରାମୀ ସୈନିକ ଭାବରେ ଗଢିତୋଳିବା । ସେତେବେଳେ ମାଜିଷ୍ଟ୍ରେଟ ଚାକିରୀ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଗୋପବନ୍ଧୁ ଚୌଧୁରୀ ଓ ମା’ ରମାଦେବୀ ଏହି ଆଶ୍ରମର ତତ୍ତ୍ୱାବଧାରକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସଂଗ୍ରାମୀପୀଠ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଶ୍ରୀମତୀ ମାଳତୀ ଚୌଧୁରୀ, ସଂଗ୍ରାମୀ ଭାଗିରଥୀ ମହାପାତ୍ର, ହରେକୃଷ୍ଣ ବିଶ୍ୱାଳ, ସଂଗ୍ରାମୀ ପ୍ରାଣକୃଷ୍ଣ ପଢିହାରୀ, ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀମାନେ ଜଡ଼ିତ ଥିଲେ । କିନ୍ତୁ ଦୁଃଖର କଥା ଆଜି ସେହି ସଂଗ୍ରାମୀ ପୀଠ ଜରାଜୀର୍ଣ୍ଣ । ଦେଶବାସୀ ଯେତେବେଳେ ସ୍ୱାଧୀନତାର ୭୫ବର୍ଷ ମହୋତ୍ସବ ପାଳନ କରୁଛେ, ସେହି ଅବସରରେ ଏହି ସଂଗ୍ରାମୀ ପୀଠକୁ ଜାତୀୟସ୍ତରରେ ପ୍ରତିଷ୍ଠା କରିବାର ଅବକାଶ ରହିଛି । ତେଣୁ ରାଜ୍ୟ ସଂସ୍କୃତି ବିଭାଗ ଏହି ପୀଠର ପୁନରୁଦ୍ଧାର କରିବା ସହିତ ଏଠାରେ ଏକ ଶିଶୁ ଉଦ୍ୟାନ ପ୍ରତିଷ୍ଠା କରିବା ଓ ଏହି ପୀଠ ସହିତ ଜଡ଼ିତ ଥିବା ସଂଗ୍ରାମୀମାନଙ୍କର ଇତିହାସ ଓ ଜୀବନକୁ ଡ଼ିଜିଟାଲ ମାଧ୍ୟମରେ ରେକର୍ଡ଼ିଂ କରି ଆଗାମୀ ପିଢି ପାଖରେ ଉପସ୍ଥାପିତ କରିବା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ସଂସ୍କୃତି ମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ଏହା ସହିତ କଟକ, ଭୁବନେଶ୍ୱରରେ ରହୁଥିବା ପ୍ରବାସୀ ଜଗତସିଂହପୁରକୁ ନେଇ ଅଳକା ଆଶ୍ରମର ପୁନରୁଦ୍ଧାର ସମିତି ଗଠନ କରାଯାଇ ବେସରକାରୀସ୍ତରରେ ଉଦ୍ୟମ କରାଯିବା ସହିତ ଜିଲ୍ଲାର ସମସ୍ତ ମାନ୍ୟବର ବିଧାୟକ, ସାଂସଦ ଓ ମାନ୍ୟବର ଜଳସେଚନ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ କରାଯିବାର ପ୍ରସ୍ତାବ ରହିଛି ବୋଲି ସୁବାସ କୁମାର ତାରଣିଆଁ ଓ ରବି ବେହେରା ପ୍ରକାଶ କରିଛନ୍ତି ।


