ମୃତ ସାମ୍ବାଦିକଙ୍କୁ ସରକାର ସହିଦ ଘୋଷଣା କରନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସମ୍ବାଦପତ୍ର ସମାଜକୁ ଦିଗ୍‌ଦର୍ଶନ ଦେଇଥାଏ । ସଠିକ୍ ଓ ଅନୁସନ୍ଧାନମୂଳକ ସମ୍ବାଦ ପରିବେଷଣ ଉପରେ ସାମ୍ବାଦିକମାନେ ଗୁରୁତ୍ୱ ଦେବା ଆବଶ୍ୟକ । କାରଣ ଅନୁସନ୍ଧାନମୂଳକ ଓ ଗଠନମୂଳକ ସମ୍ବାଦ ସମାଜର ପରିବର୍ତ୍ତନ ସହ ସାମ୍ବାଦିକଙ୍କର ଦକ୍ଷତାର ପରିଚୟ ଦେଇଥାଏ ବୋଲି ଡ. ଭି. ରାଜେନ୍ଦ୍ର ରାଜୁ କହିଛନ୍ତି । ରବିବାର ଓଡ଼ିଶା ପତ୍ରକାର ସଂଘ ବ୍ରହ୍ମପୁର ଶାଖାର ବନ୍ଧୁମିଳନ ଉତ୍ସବ ବ୍ରହ୍ମପୁରସ୍ଥିତ ଡୁଡୁମା କଲୋନୀ ଫାକ୍ଟଗେଟ୍ ନିକଟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଡ. ରାଜୁ ଯୋଗଦେଇ ବର୍ତ୍ତମାନ ସମ୍ବାଦପତ୍ରର ସ୍ଥିତି ଓ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ପତ୍ରକାର ସଂଘର ରାଜ୍ୟ ସଭାପତି ଅବିନାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପ୍ରଥମେ ଦିବଙ୍ଗତ ସାମ୍ବାଦିକ ଓ ସ୍ୱର ସାମଜ୍ଞ୍ରୀ ଲତା ସଙ୍ଗେସକରଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ଆଇନ୍‌ଜୀବୀ କିଶୋର ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂଘର ରାଜ୍ୟ ଉପସଭାପତି ହରପ୍ରସାଦ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାକର ବିଶ୍ୱାଳ ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସଂଘର ସଭାପତି ଶ୍ରୀ ମିଶ୍ର ତାଙ୍କ ଅଭିଭାଷଣରେ ସାମ୍ବାଦିକଙ୍କ ସୁରକ୍ଷା, ବୀମା ରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି ସହ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସରକାର ସହିଦ ଘୋଷଣା କରିବା ସହ ତାଙ୍କ ପରିବାରକୁ ଅତି କମ୍‌ରେ ୫୦ ଲକ୍ଷ ଟଙ୍କା ସହାୟତା ସହ ସ୍ୱର୍ଗତ ବିଶ୍ୱାଳଙ୍କ ପତ୍ନୀଙ୍କୁ ସରକାରୀ ଚାକିର ଦେବା ଲାଗି ଦାବି କରିଥିଲେ । ଶେଷରେ ବ୍ରହ୍ମପୁର ଶାଖା ସଭାପତି ଚିତ୍ତରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନେକ ସାମ୍ବାଦିକ ଓଡ଼ିଶାପତ୍ରକାର ସଂଘର ସଦସ୍ୟ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ