ବନବାସୀଙ୍କୁ ପରିବେଶ ସୁରକ୍ଷାର ମନ୍ତ୍ର ଦେଲେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ମାଟି ହେଉଛି ମାଆ । ତା’ରି କୋଳରେ ଜୀବଜଗତ ଜନ୍ମଲାଭ କରେ । ଆଉ ତାରି କୋଳରେ ମୃତ୍ୟୁବରଣ କରିଥାଏ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ କୋଳରେ ଜୀବଜଗତ ଧରି ରଖିବା ସହିତ ତାର ନାନାବିଧ ଆବଶ୍ୟକତା ପୂରଣ କରିଥାଏ । ସେ ମଣିଷ ହୁଅନ୍ତୁ କିମ୍ବା ପଶୁପକ୍ଷୀ କିମ୍ବା ବୃକ୍ଷଲତା ସମସ୍ତେ ମୃତ୍ତିକାରୁ ହିଁ ନିଜର ଖାଦ୍ୟ ଓ ପାନୀୟ ସଂଗ୍ରହ କରିଥାନ୍ତି । ସୁତରାଂ ଜୀବଜଗତ ବଂଚି ରହିବାର ଏକମାତ୍ର ମାଧ୍ୟମ ହେଉଛି ମାଟି । ମାଟି ମାଆ ନମସ୍ତୁତେ । ମାଟିର ସୁରକ୍ଷା ନିତାନ୍ତ ଜରୁରୀ ବୋଲି ଚନ୍ଦକା-ଡମ୍ପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବନବାସୀଙ୍କୁ ସଚେତନ କରାଇଛନ୍ତି ଓଡ଼ିଶାର ଜଣାଶୁଣା ସୁପ୍ରତିଷ୍ଠିତ ପରିବେଶବିତ୍ ଗଛସାର୍ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜନସଚେତନତା କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଧିବିଧାନ ପୂର୍ବକ ମାଟି ମାଆର ପୂଜା ସହ ବୃକ୍ଷପୂଜନ କରାଯାଇଥିଲା । ଜଙ୍ଗଲ ବଂଚିଲେ ସଭିଏଁ ବଂଚିବା ଅର୍ଥାତ୍ ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ଆମ୍ଭମାନଙ୍କର ଗୁରୁଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ବୋଲି ବିଭିନ୍ନ ପୋଷ୍ଟର ମାଧ୍ୟମରେ ବନବାସୀଙ୍କୁ ଗଛସାର୍ ସଚେତନ କରାଇଥିଲେ । କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ଅଙ୍କିତ କୁମାର ପଟ୍ଟନାୟକ, ମନୋଜ ପ୍ରଧାନ, ଦୀପକ କୁମାର ଚୌଧୁରୀ, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


