ବ୍ୟାନର ମାଧ୍ୟମରେ ଭୋଟ ବର୍ଜନ ପାଇଁ ଆହ୍ୱାନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମାଓ ସଙ୍ଗଠନ କନ୍ଧମାଳ ଜିଲ୍ଲାରେ ସେତିକି ସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି । ଶନିବାର ପୁଣି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ରଡ଼ିଗୁମା ସ୍କୁଲ ଅଞ୍ଚଳରେ ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି । ବ୍ୟାନର ମାଧ୍ୟମରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛି ଲାଲ୍ ବାହିନୀ । ଏଥିସହିତ ବିପ୍ଳବୀ ଲୋକ ସରକାର ପ୍ରତିଷ୍ଠା କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଦୁର୍ନୀତି, ଦରଦାମ୍ ବୃଦ୍ଧି,ବେରୋଜଗାର, ଦମନ, ବିସ୍ଥାପନ, ଜଙ୍ଗଲ ଜମିପଟ୍ଟା,ପେସା ଆଇନ୍ ଲାଗୁ, ମୌଳିକ ଅଧିକାର ଦାବି କରିଛି ବ୍ୟାନର ମାଧ୍ୟମରେ ଲାଲ୍ ବାହିନୀ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ପରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ଲଙ୍କା କାଣ୍ଡ ଭିଆଇଥିଲେ ମାଓବାଦୀ । ରାସ୍ତା କାମରେ ନିୟୋଜିତ ହୋଇଥିବା ତ୍ରୀଶକ୍ତି ଠିକା ସଂସ୍ଥାର ତିନୋଟି ଗାଡ଼ି ପୋଡ଼ି ଦେଇଥିବାବେଳେ ଦିନକ ପରେ ବାଲିଗୁଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳର ସୁନାପାଙ୍ଗା, ପଣଷପଡ଼ି, ନୁଆସାହି ଭଳି ବିଭିନ୍ନ ସ୍ଥାନରେ କେକେବିଏନ୍ ମାଓ ସଂଗଠନ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଜାରି ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ବାରମ୍ବାର ଏଭଳି ଘଟଣାକୁ ଦୃଷ୍ଟିରେ ରଖି ଶୁକ୍ରବାର କନ୍ଧମାଳ ଜିଲ୍ଲା କୁ ପୋଲିସ ବିଭାଗର ନୂଆ ଡିଜିପି ଆସି ମାଓ ଦମନ ପାଇଁ ସବୁ ପ୍ରକାର ସୁବିଧା, ସହଯୋଗ କରିବା ପାଇଁ ଜିଲ୍ଲା ସ୍ତରୀୟ ସଭା କରି ଫେରିବା ପରେ ପରେ ଲାଲ ବାହିନୀ ପକ୍ଷରୁ ପୁଣି ପୋଷ୍ଟର, ବ୍ୟାନର ମାରିବା ପୋଲିସ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି l ଫଳରେ ସୁରକ୍ଷା ଓ ପାଟ୍ରୋଲିଂ ବ୍ୟବସ୍ଥା କୁ ଆହୁରି କଡାକଡି କରାଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ