ଯୋଦ୍ଧା ସାଥୀଙ୍କ ସ୍ମୃତିସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଶିଷ୍ଟ ସମାଜବାଦୀ ନେତା, ଶ୍ରମିକ ନେତା, କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ, ହିନ୍ଦ୍ ମଜଦୁର ସଭାର ସାଧାରଣ ସମ୍ପାଦକ, ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି, ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ପ୍ରଥମ ଅଧ୍ୟକ୍ଷ ଓ ବିହନ ନିଗମର ପୂର୍ବର୍ତନ ଅଧ୍ୟକ୍ଷ ସାଥୀ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ବିୟୋଗରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ ସ୍ଥାନୀୟ ଲୋହିଆ ଏକାଡ଼େମୀଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃ୍‌ତିସଭାରେ ଏଚ୍‌ଏମ୍‌ଏସ୍‌ର ସଭାପତି କୃଷ୍ଣଚନ୍ଦ୍ର ପାତ୍ର ସଭାପତିତ୍ୱ କରି କହିଲେ ଯେ, ଯୋଗେନ୍ଦ୍ର ତ୍ରିପାଠୀ ଛାତ୍ର ଜୀବନରୁ ସମାଜବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଶ୍ୱନାଥ ପଣ୍ଡିତଙ୍କ ଆଦର୍ଶରେ ତାଙ୍କର କାର୍ଯ୍ୟ ମେହେନ୍ତର ମାନଙ୍କର ଅଧିକାର ପାଇଁ ଲଢେଇ କରି ଆଜି ସମାଜରେ ଜଣେ ଦରଦୀ ବନ୍ଧୁ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଶ୍ରଦ୍ଧାସୁମନ କରି କହିଲେ ଯେ, ଯୋଗୀବାବୁ ଛାତ୍ର ଜୀବନରୁ ଶେଷ ସମୟ ପର୍ଯ୍ୟନ୍ତ ସମାଜର ଅବହେଳିତ ଲୋକମାନଙ୍କ ଲାଗି କାମ କରିଥିଲେ ଓ ତାଙ୍କର କାର୍ଯ୍ୟ ତାଙ୍କୁ ସମାଜରେ ସବୁଦିନ ପାଇଁ ଅମର ରଖିବ । ସିଟୁର ନେତା ଜନାର୍ଦ୍ଦନ ପତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦେଶ ଆଜି ଯେଉଁ ସଙ୍କଟ ଦେଇ ଗତି କରୁଛି, ଯୋଗୀବାବୁଙ୍କ ପରି ଟାଣୁଆ ଶ୍ରମିକନେତାଙ୍କ ବିୟୋଗ ଆମ ଲାଗି ଏକ ଶୂନ୍ୟସ୍ଥାନ ସଦୃଶ ହୋଇଛି, ମାତ୍ର ତାଙ୍କର ସ୍ୱପ୍ନକୁ ସାକାର କରିବା ଲାଗି ଆମକୁ ଆହୁରି ସଂଗଠିତ ହେବାକୁ ପଡ଼ିବ । ଏଆଇଟିୟୁସିର ନେତା ରାମକୃଷ୍ଣ ପଣ୍ଡା ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଦେଶରେ ଯେଭଳି ଭାବରେ କୃଷକ ଓ ଶ୍ରମିକମାନଙ୍କ ଉପରେ ଦମନ ଚାଲିଛି, ସେ ସମୟରେ ଯୋଗୀବାବୁ ଆମକୁ ଛାଡ଼ି ଚାଲିଯିବା ଏକ ଦୁଃଖକ ଘଟଣା । ଏଆଇୟୁଟିୟୁସିର ଜୟସେନ ମେହେର କହିଲେ ଯେ, ଯୋଗୀବାବୁଙ୍କ ସଂଗ୍ରାମ ତାଙ୍କୁ ଅମର ରଖିବା ସହିତ ତାଙ୍କର କାର୍ଯ୍ୟଧାରାକୁ ଆଗେଇ ନେବାକୁ ଆହ୍ୱାନ ଦେଇଥିବା ବେଳେ ଏଆଇସିସିଟିୟୁର ନେତା ମହେନ୍ଦ୍ର ପରିଡ଼ା ଶ୍ରଦ୍ଧାସୁମନ ଜଣାଇ କହିଲେ ଯେ, ଯୋଗୀବାବୁ ଜାତୀୟ ସମ୍ପତ୍ତିର ଘରୋଇକରଣକୁ ତୀବ୍ର ବିରୋଧ କରିବା ସହିତ ଅସଂଗଠିତ ଶ୍ରମିକମାନଙ୍କ ଅଧିକାର ଲାଗି ସଦାସର୍ବଦା ଲଢେଇ କରୁଥିଲେ । ଏଲ୍‌ପିଏଫ୍‌ର ନେତା ମନୋରଞ୍ଜନ ମହାରଣା କହିଲେ ଯେ, ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ଯୋଗୀବାବୁ ତାଙ୍କ ଲାଗି ଏକ ପ୍ରେରଣାର ଉତ୍ସ ଥିଲେ । ଆଇଏନ୍‌ଟିୟୁସିର ନେତ୍ରୀ ପ୍ରଣତୀ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଯୋଗୀବାବୁ ଜଣେ ଦରଦୀ ଓ କର୍ତ୍ତବ୍ୟ ପରାୟଣ ମଣିଷ ଥିଲେ ଓ ସମାଜର ସବୁସ୍ତରର ଲୋକମାନଙ୍କ ଭିତରେ ସମତା ଲାଗି ଲଢେଇ କରୁଥିଲେ । ବିଶିଷ୍ଟ ଶ୍ରମିକ ତଥା ଏଚ୍‌ଏମ୍‌ଏସ୍‌ର ବରିଷ୍ଠ ନେତା ପଞ୍ଚାନନ ସେନାପତି ତାଙ୍କର ଶ୍ରଦ୍ଧାସୁମନରେ ଯୋଗୀବାବୁଙ୍କ କାର୍ଯ୍ୟକୁ ନେଇ ଏକ ସ୍ମରଣିକା ପ୍ରକାଶ କରିବାକୁ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ମହଲ, ରାଜେନ୍ଦ୍ର ଦାସ, ପ୍ରଭାସ ସାମନ୍ତରାୟ, ଲକ୍ଷ୍ମୀପ୍ରିୟା ମହାନ୍ତି ପ୍ରମୁଖ ଶ୍ରଦ୍ଧାସୁମନ ଜଣାଇଥିଲା ବେଳେ ଏଚ୍‌ଏମ୍‌ଏସ୍‌ର ଉପସଭାପତି ଯୁଗଳ ନାୟକ ସ୍ମୃତିସଭାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ