ଘର ଘର ବୁଲି ଭୋଟ ମାଗୁଛନ୍ତି ନେତା ଓ ପ୍ରାର୍ଥୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଦିନକୁ ଦିନ ଜମୁଛି ପ୍ରଚାର । କୋଳାହଳ ହୋଇଉଠୁଛି ଗାଁ ଦାଣ୍ଡ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ନିକଟତର ହେଉଛି, ରାଜନୈତିକ ହଟଚମଟ ସେତିକି ବୃଦ୍ଧି ପାଇବାରେ ଲାଗିଛି । ସାରା ରାଜ୍ୟରେ ଏବେ ଜୋରଦାର ପ୍ରଚାର ଚାଲିଛି । ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ବିଭିନ୍ନ ଦଳର ସମଥିତ ପ୍ରାର୍ଥୀମାନେ ନିଜ ନିଜର ଲୋକବଳ ଉପଯୋଗ କରି ନର୍ବାଚନ ମୈଦାନରେ ଲଢେଇ ଜୋରଦାର କରୁଥିବାର ଦେଖିବାକୁ ମିଳୁଛି । ଆଶା ଓ ଆଶଙ୍କା ଭିତରେ ସେମାନଙ୍କୁ ପ୍ରଚାର ଚାଲିଛି । ଖୋଦ୍ ରାଜଧାନୀ ଚତୁଃପାଶ୍ୱର୍ରେ ଥିବା ବିଭିନ୍ନ ପଞ୍ଚାୟତ ଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା । ମଳିପଡ଼ା ପଞ୍ଚାୟତ, ତମାଣ୍ଡୋ ପଞ୍ଚାୟତ, ଲିଙ୍ଗିପୁରୀ ପଞ୍ଚାୟତ ଓ ଇଟିପୁର ପଞ୍ଚାୟତ ପରିକ୍ରମା ସମୟରେ ଏମିତି କିଛି ଉତ୍ସାହପୂର୍ଣ୍ଣ, କୋଳହଳପୂର୍ଣ୍ଣ ପ୍ରଚାର ନଜରକୁ ଆସିଛି । ସୂର୍ଯ୍ୟ ଚିହ୍ନରେ ଲଢୁଥିବା ମଳିପଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଯଶୋଧର ମହାନ୍ତି ଅନ୍ୟ ସବୁ ସରପଞ୍ଚ ପ୍ରାର୍ଥୀଙ୍କ ଠାରୁ ବହୁ ଆଗରେ ଥିବାର ଏବଂ ତାଙ୍କ ସହ ବିଶେଷକରି ମହିଳା ଏବଂ ଯୁବବର୍ଗର ଭୋଟରମାନେ ଘରକୁ ଘର ବୁଲି ଯଶୋଧର ମହାନ୍ତିଙ୍କୁ ଜିତାଇବା ପାଇଁ ନିଜ ଜୀବନ ଏବଂ ସମୟକୁ ବାଜି ଲଗାଇ ଦେଉଛନ୍ତି । ଇଟିପୁର ପଞ୍ଚାୟତର କଥା ଟିକେ ନିଆରା । ଏଠାରେ ମାଛ ଚିହ୍ନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀ ନର୍ମଦା ଚନ୍ଦ୍ରମା ସାହୁ ବର୍ତ୍ତମାନ ସରପଞ୍ଚ ଥାଇ ପୁନର୍ବାର ବିଜେଡ଼ି ସମର୍ଥନରେ ଚଳିତ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କର ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ କରିଥିବା ଜନସେବାକୁ ଆୟୁଧ କରି ଲୋକମାନଙ୍କ ସମ୍ମୁଖକୁ ଯାଉଥିବା ବେଳେ ପଞ୍ଚାୟତବାସୀ ତାଙ୍କ ପ୍ରତି ଆଶା ଓ ଭରସା ରଖିଛନ୍ତି ବୋଲି ଜଣାପଡ଼ିଛି । ସେହିଭଳି ତମାଣ୍ଡୋ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ଭାବେ ଲଢୁଥିବା ଉଚ୍ଚଶିକ୍ଷିତା ଶ୍ରୀମତୀ ମମତା ବଳ ନିଜର ଷ୍ଟୁଲ୍ ଚିହ୍ନକୁ ଘରେ ଘରେ ପହଞ୍ଚାଇ ଖୁବ୍ କମ୍ ଦିନ ଭିତରେ ଭୋଟରମାନଙ୍କର ଅତି ଆଦରଣୀୟ ହୋଇପାରିଛନ୍ତି ଏବଂ ଲିଙ୍ଗିପୁର ପଞ୍ଚାୟତର ବିଜେଡ଼ି ସମର୍ଥନରେ ଲଢୁଥିବା ଲଙ୍ଗଳ ଚିହ୍ନକୁ ହାତରେ ଧରି କ୍ଷୀରୋଦ କୁମାର ପ୍ରଧାନ ଘର ଘର ଓ ଗାଁ ଗାଁ ବୁଲି ନିଜର ସମର୍ଥକମାନଙ୍କୁ ସାଙ୍ଗରେ ନେଇ ନିଜ ପାଇଁ ସମର୍ଥନ ଯୋଗାଡ଼ କରୁଥିବାର ଦେଖିବାକୁ ମିଳିଛି । ଗ୍ରାମ ପଞ୍ଚାୟତର ଉନ୍ନତି ସହ ଜନସେବାକୁ ପ୍ରାଧାନ୍ୟ ଦେଇ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ପ୍ରଚାରରେ ଲାଗିପଡ଼ିଛନ୍ତି ।


