ସମ୍ପନ୍ନ ହେଲା ଆଦିବାସୀଙ୍କ “ମାଘ ଟୋକିମରା” ପର୍ବ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ) :-କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧଗନ ସର୍ଗିଗୁଡା ଗାଁରେ ପାଳିତ ହୋଇଯାଇଛି “ମାଘ ଟୋକିମରା” ପର୍ବ।ମାଟି ମାଆର ଉପାସକ, ଆସ୍ଥା ଓ ବିଶ୍ୱାସର ପୂଜକ ଆଦିବାସୀ । ସବୁଠୁ ନିଆରା ସେମାନଙ୍କ ପରମ୍ପରା ଓ ଐତିହ୍ୟ । ଆଦିମ କାଳରୁ ପ୍ରଚଳିତ ରୀତିନୀତି ପୂଜା ପର୍ବଣ ଆଜି ମଧ୍ୟ ଜୀବିତ ରଖିପାରିଛି ଏହି ସମ୍ପ୍ରଦାୟ।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ।ଏଠିକାର ଆଦିବାସୀ ମାନଙ୍କ ମୁଖ୍ୟ ପର୍ବ ହେଉଛି “ଟୋକିମରା” ପର୍ବ।ପରମ୍ପରାରୁ ଚଳି ଆସୁଥିବା ଏହି ପର୍ବ ପ୍ରତିବର୍ଷ ପୌଷ ମାସରେ ପାଳିତ ହୋଇଥାଏ।ମାଟି ମାଆ (ଧରନୀ)”ଙ୍କ ଆସ୍ଥାନ ଗୁଡି ରେ ଗ୍ରାମର ଜାନୀ ଦିଶାରୀ ଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥାଏ । ଯେଉଁ ଗାଁରେ ଏହି ପର୍ବ ପଡିଥାଏ ଏହାର ତିନିବର୍ଷ ପରେ ସେହି ଗାଁରେ ମାଘ ମାସରେ ପଡିଥାଏ “ମାଘ ଟୋକିମରା”ପର୍ବ । ଏହି ପର୍ବ ପାଳନ ନକଲେ ଗ୍ରାମ ତଥା ଅଞ୍ଚଳରେ ବିଭିନ୍ନ ଅସୁବିଧା ହୋଇଥାଏ ବୋଲି ଆଦିବାସୀଙ୍କ ବିଶ୍ୱାସ ରହି ଆସିଛି।ମାଟି ମାଆ ଅସନ୍ତୋଷ ରହିବା ଦ୍ୱାରା ଗାଁରେ ବିଭିନ୍ନ ରୋଗର ଆଶଙ୍କା ରହିଥାଏ ଏବଂ ଚାଷର ଫସଲ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡିଥାଏ ବୋଲି ଏମାନଙ୍କ ବିଶ୍ୱାସ । ଏଣୁ ମାଟି ମାଆକୁ ସନ୍ତୁଷ୍ଟ କରିବା ପାଇଁ ପୌଷ ପର୍ବ “ଟୋକିମରା” ପାଳନର ତିନିବର୍ଷ ପୁର୍ତ୍ତି ଉପଲକ୍ଷେ ମାଘ ମାସରେ ଏହି “ମାଘ ଟୋକିମରା” ପର୍ବ ପାଳନ କରିଥାନ୍ତି ଆଦିବାସୀ । ପୁରାତନ ଯୁଗରୁ ବଣ୍ଡେଲ ଦେବୀଙ୍କୁ ପୂଜା କରୁଥିବା ଗ୍ରାମବାସୀ ହଁ ଏହିପର୍ବ ପାଳନ କରିବାର ବିଧି ରହିଛି । ଗାଁର ଆବାଳ ବୃଦ୍ଧବନିତା ମାନେ ଏକାଠି ହୋଇ ଏହି ଟୋକିମରା ପର୍ବ ଟିକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ । ଗାଁର ସମସ୍ତ ଛୋଟ ଠାରୁ ବଡ଼ ଲୋକ ପର୍ଯ୍ୟନ୍ତ ବିଭିନ୍ନ ରୋଗରୁ ରକ୍ଷା ପାଇବା ସହିତ ଗାଁ ରେ ଭଲ ଫସଲ ଅମଳ ହେବା,ଓ ଗାଁଟିକୁ ଆପଦ ବିପଦରେ ସାହାହେବା ନିମନ୍ତେ ବଣ୍ଡେଲ ଦେବୀର ଧରଣୀ ଖୁଣ୍ଟଠାରେ ଆଜି ପୋଢବଳି ଦିଆଯାଇଥିଲା । ରିତିନିତି ଅନୁସାରେ ପୁଜାଉର୍ଚ୍ଚାନା କରିଥିଲେ ଦିଶାରି ବାରୁମାଝୀ ପର୍ବ ଟିକୁ ଆଖ ପାଖ ଗାଁର ଜନସାଧାରଣ ଉପସ୍ଥିତ ରହି ଉପଭୋଗ କରିଥିଲେ । ପୂଜା କମିଟି ପକ୍ଷରୁ ବିଦ୍ୟୁତ୍ ନାଏକ, କାଳିଆ ନାଏକ, ରବି ନାଏକ, ମାନିଆ ମାଝୀ, ବାୟାମାଝୀ, କ୍ରିଷ୍ଣା ମାଝୀ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।